ସମ୍ବଲପୁର : ମାଁ ସମଲେଶ୍ବରୀଙ୍କୁ ସମଗ୍ର ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ବହୁ ଲୋକ ନିଜ ଅଧିଷ୍ଠାତ୍ରୀ ଦେବୀ ଭାବେ ମାନି ଆସିଛନ୍ତି। ଏହାକୁ ଏକ ତୀର୍ଥଭୂମି ଏବଂ ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ଘୋଷଣା କରାଯାଇଥିବା ସମଲେଇ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା। ପ୍ରଶାସନ ମଧ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ଦେଖାଇଛି। ତେବେ, ସମଲେଇ ଯୋଜନାକୁ ବାଧା ଦେବାକୁ ଏବେ ପ୍ରୟାସ ଚାଲିଛି। ଏହି ଯୋଜନାକୁ ବାଧା ଦେବାକୁ ପ୍ରୟାସ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଏହା ପଛ‌ରେ ଥିବା ଷଡ୍‌ଯନ୍ତ୍ରର ଫର୍ଦାଫାଶ କରାଯିବାକୁ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଦାବି କରାଯାଇଛି।

ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଉଛି ଯେ ସମ୍ବଲପୁରରେ ସଂପୂର୍ଣ୍ଣ ଗୋହତ୍ୟା ବନ୍ଦ ପାଇଁ ଏହି ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନ ଚାଲିଛି। ସମନ୍ବୟ ସମିତିର ଅନ୍ୟତମ ପରାମର୍ଶଦାତା ଜ‌ୟବ୍ରତ ଦେ’ଙ୍କ ଏହି ଆନ୍ଦୋଳନରେ ଅଗ୍ରଣୀ ଭୂମିକା ରହିଛି। ସମ୍ବଲପୁର ଓ ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରସ୍ତାବ ଦେଇ ଆସିଛନ୍ତି। ତାଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସକରାତ୍ମକ ମନ୍ତବ୍ୟକୁ ଭୁଲ୍‌ ଭାବ‌ରେ ଉପସ୍ଥାପନ କରି ଏକ ମିଥ୍ୟା ଅଭିଯୋଗ ଆଣି ତାଙ୍କର ସାମାଜିକ ପ୍ରତିଷ୍ଠାକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି। ତାଙ୍କ ଦ୍ବାରା ଉଲ୍ଲେଖିତ ଉକ୍ତ ପ୍ରସଂଗରେ ଦଳିତଙ୍କ ପ୍ରତି କ‌ୌଣସି ଅସମ୍ମାନ ନାହିଁ କି ଘୁନ୍‌ଘୁଟିପଡ଼ା ବାସୀଙ୍କର କଥା ଆସୁ ନାହିଁ। ତେବେ, ଶାସକ ଦଳର କେତେକ ନେତା/ନେତ୍ରୀଙ୍କ ଇସାରାରେ କେତେକ ସଂସ୍ଥା ଏଭଳି ମିଥ୍ୟ ଅଭିଯୋଗ ଆଣୁଛନ୍ତି। ଜାତିଆଣ କଥା ଉଠାଇ ଜୟବ୍ରତ କେବେ ଓ କେଉଁଠି ଗାଳି ଦେଲେ ତାହାର ପ୍ରମାଣ ଦିଅନ୍ତୁ ବୋଲି ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ କୁହାଯାଇଛି।

ଜୟବ୍ରତ ଦେ’ ଧର୍ମାନ୍ତରଣ କାର୍ଯ୍ୟରେ ସକ୍ରିୟ ଥିବା ଏକ ସଂସ୍ଥା ସଂକ୍ରାନ୍ତରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାର ତଦନ୍ତ ହେବା ଉଚିତ। ସତ୍ୟ ପଦାକୁ ଆସିବା ଆବଶ୍ୟକ। ବିନା ତଦନ୍ତରେ ଯଦି କାହାରି ଚାପରେ ତଥା ପ୍ରରୋଚନାରେ କୌଣସି ମିଥ୍ୟା ଅଭିଯୋଗରେ ପୁଲିସ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନିଏ, ତାହେଲେ ଆମେ ଚୁପ୍ ରହିବୁ ନାହିଁ। ଏହାର ଦୃଢ଼ ବିରୋଧ କରାଯିବ ବୋଲି ସତ୍ୟ ନାରାୟଣ ପଣ୍ଡା, ରାମଚନ୍ଦ୍ର ମେହେର, ଦା‌ମୋଦର କର, ସୁଧୀର ରଂଜନ ବହିଦାର, ଦେବାଶିଷ ପୁରୋହିତ ପ୍ରମୁଖ ଏକ ମିଳିତ ବିବୃତ୍ତିରେ କହିଛନ୍ତି।

The post ‘ସମଲେଇ ଯୋଜନାକୁ ବାଧା ପାଇଁ ଚାଲିଛି ଷଡ଼୍‌ଯନ୍ତ୍ର ’, ହନୁମାନ ଜୟନ୍ତୀ ସମନ୍ବୟ ସମିତି ଦେଲା ଆନ୍ଦୋଳନ ଧମକ first appeared on Sambad.

from ଜିଲ୍ଲା | Sambad https://ift.tt/3CENE7U