ରାଉରକେଲା: ବିଭିନ୍ନ ମାମଲାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି ବୀରମିତ୍ରପୁର ଥାନା। ଗତ ୨୦୧୯ ଜୁନ୍‌ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଓ ଯୌନ ନିର୍ଯ୍ୟାତନା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଜେଲ୍‌ ଯାଇଥିଲେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଓ ବୀରମିତ୍ରପୁର ପିଏଚ୍‌ସି ଡାକ୍ତର। କେବଳ ଏତିକି ନୁହେଁ, ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ପୁଲିସ ମହାନିର୍ଦ୍ଦେଶକ। ଥାନାର ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହିତ ନେଇଥିଲେ କ୍ରାଇମବ୍ରାଞ୍ଜ। ସେ ସମୟର ଅନେକ ପୁଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଏପରିକି ଥାନାରେ ଡ୍ୟୁଟି କରୁଥିବା ଜଣେ ଗୃହରକ୍ଷୀଙ୍କୁ ମଧ୍ୟ ବୀରମିତ୍ରପୁର ଥାନାରୁ ହାତୀବାରି ଥାନାକୁ ବଦଳି କରାଯାଇଥିଲା। ‌ସେ‌ହି ଗୃ୍ହରକ୍ଷୀଙ୍କୁ ବୀରମିତ୍ରପୁର ଥାନାରେ ପୂରାଇ ନ ଦେବାକୁ ସୁନ୍ଦରଗଡ ଏସ୍‌ପି ସାଗରିକା ନାଥ କୁଆଡ଼େ ସମସ୍ତଙ୍କୁ ତାଗିଦ୍‌ ମଧ୍ୟ କରିଥିବା ଶୁଣାଯାଏ।

ତେବେ ମାମଲା ଥଣ୍ଡା ପଡ଼ି ଯିବାପରେ ଉକ୍ତ ଗୃହରକ୍ଷୀ ଜଣକ ହାତୀବାରି ଥାନାରେ ଡ୍ୟୁଟି ନ କରି ବୀରମିତ୍ରପୁର ଥାନାରେ ପୂର୍ବପରି ହାକିମାତି ଆରମ୍ଭ କରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଥାନା ଅଧିକାରୀଙ୍କ ପରି ପ୍ରତ୍ୟେକ ମାମଲାରେ ସେ ମୁଣ୍ଡ ପୂରାଉଛନ୍ତି। ଅନେକ ଘଟଣାରେ ମଧ୍ୟସ୍ଥି ମଧ୍ୟ ସାଜୁଛନ୍ତି। ଏସ୍‌ପିଙ୍କ ଦାଗିଦ୍‌ ସତ୍ବେ ଥାନା ଭିତରେ ନିୟମିତ ରହୁଛନ୍ତି। ଥାନାର ସବ୍ଇନ୍ସପେକ୍ଟର ଓ ଡିସିଓଙ୍କ ଟେବୁଲ ଆଗ ଚେୟାରରେ ସାଦା ପୋଷାକରେ ଥାନା ଅଧିକାରୀଙ୍କ ଭଳି ଗୋଡ ଉପରେ ଗୋଡ ପକାଇ ବିଭିନ୍ନ ମାମଲା ଫଇସଲା ମଧ୍ୟ କରୁଛନ୍ତି।

ଥାନାରେ ଥାନା ଅଧିକାରୀ ପଦବି ଖାଲି ପଡିଥିବାରୁ ନିଜକୁ ଜଣେ ଇନ୍ସପେକ୍ଟର ପରିଚୟ ଦେବାକୁ ସେ ପଛାଉ ନାହାନ୍ତି। ଏତିକିରେ କଥା ସରିନି, ରାତିରେ ସେ ବୀରମିତ୍ରପୁର ପୁଲିସ ପାଟ୍ରୋଲିଂ ଗାଡିରେ ଡ୍ୟୁଟି ମଧ୍ୟ କରୁଛନ୍ତି। ଚାନ୍ଦା ଅସୁଲ କରି ସେ ବେଆଇନ ଗୋରୁଚାଲାଣ, ବାଲି ଓ ପଥର ଚାଲାଣ ସମେତ ଚୋରାମଦ କାରବାରକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ମାସ ମାସ ଧରି ହାତୀବାରି ଥାନାକୁ ନ ଯାଇ ବୀରମିତ୍ରପୁର ଥାନାରେ ଏଭଳି କାମ କରୁଥିଲେ ହେଁ କେହି ତାଙ୍କୁ ବାରଣ କରୁ ନାହାନ୍ତି। କାହିଁକି ଓ କ’ଣ ପାଇଁ ଗୃହରକ୍ଷୀଙ୍କୁ ଥାନା ଭିତରକୁ ପଶିବାକୁ ପ୍ରୋତ୍ସାହନ ଦିଆଯାଉଛି ତାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ମାମଲାରେ ହାତୀବାରି ଥାନାର ଏସ୍‌ଆଇ ଏଚ.କେ. ବେହେରା କହିଛନ୍ତି, ବଦଳି ହୋଇ ଆସିଥିବା ଗୃହରକ୍ଷୀ ଜଣକ କିଛି ଦିନ ଡ୍ୟୁଟି କରିବା ପରେ ଆସୁ ନାହାନ୍ତି। ଥାନା ପକ୍ଷରୁ ଗୃହରକ୍ଷୀଙ୍କ ଏଭଳି କାର୍ଯ୍ୟକଳାପ ସଂକ୍ରାନ୍ତରେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ କହିଛନ୍ତି, ‘‘ଏମିତି ହେବା କଥା ନୁହେଁ। ଆସନ୍ତାକାଲି (ବୁଧବାର) ଠାରୁ ଯେମିତି ଗୃହରକ୍ଷୀ ଜଣକ ଥାନା ଭିତରକୁ ନ ପଶନ୍ତି ସେ ବ୍ୟବସ୍ଥା କରାଯାଉଛି।’’

The post ଗୃହରକ୍ଷୀ ବନିଛନ୍ତି ଥାନା ଅଧିକାରୀ! ବଦଳି ସତ୍ବେ ଥାନା ଛାଡୁନାହାନ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/2WiemCI