
କୁକୁଡାଖଣ୍ଡି: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଆଜି କୁକୁଡ଼ାଖଣ୍ଠି ପଞ୍ଚାୟତସମିତିର ଶେଷ ବୈଠକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ କାର୍ଯ୍ୟକାରୀ ନେଇ ସମୀକ୍ଷା କରିଥିଲେ।
ତେବେ ସରକାରୀ ଯୋଜନା ତୃଣମୂଳସ୍ତରରେ ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁ ନଥିବା ଅଭିଯୋଗ ଶୁଣି ଶ୍ରୀ ପାତ୍ର କ୍ଷୋଭ ପ୍ରକାଶ କରିଥିଲେ। ଆଗକୁ ବିଡିଓ, ବ୍ଲକ ଅଧକ୍ଷ, ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀଙ୍କ ସହ ନିଜେ ଗାଁକୁ ଗାଁ ବୁଲି ଉନ୍ନୟନ କାମ ଦେଖିବା ସହ ଲୋକଙ୍କ ସମସ୍ୟା କଥା ବୁଝିବି ବୋଲି ବାଚସ୍ପତି କହିଥିଲେ। ଯେଉଁ ପଞ୍ଚାୟତରୁ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆସିବ ସେଠାରେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ଦୁର୍ନୀତିଖୋର ରାଜନେତା ଓ ବିଭାଗୀୟ ଅଧିକାରୀଙ୍କୁ ଗିରଫ କରାଯିବ ବୋଲି ବାଚସ୍ପତି ଚରମବାଣୀ ଶୁଣାଇଥିଲେ।
କିଛି ସରପଞ୍ଚ ପାନୀୟ ଜଳ ଅଭାବ ଓ ପାଣି ଅଭାବରୁ ଚାଷ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ଉଠାଇଥିଲେ। ମନେରଗା ଯୋଜନାରେ ଲାଞ୍ଜିଆ ପଞ୍ଚାୟତକୁ କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଥିବା ବେଳେ ଅନ୍ୟାନ୍ୟ ପଞ୍ଚାୟତକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା। ସେହିପରି ଭତ୍ତା ପ୍ରଦାନରେ ଅନିୟମିତତା ସମେତ ପରିମଳ, ଶିକ୍ଷା ଓ ସ୍ବାସ୍ଥ୍ୟ ସମେତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ନେଇ ଆଲୋଚନା ହୋଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର, ବ୍ଲକ ଅଧକ୍ଷ କାମାକ୍ଷା ପାତ୍ର , ବିଇଓ ଏସ.ଗିରିଧାରୀ, ଉପାଧ୍ୟାକ୍ଷା ଲଷ୍ମୀପ୍ରିୟା ସାହୁ, ରଘୁ ପାତ୍ର, ସସ୍ମିତା ପଣ୍ଡା, ବୃନ୍ଦାବନ ଖଟେଇ, ଦିଲ୍ଲୀପ ପାତ୍ର, ସଞ୍ଜୟ ସାହୁ, ସୀତାରାମ ସାହୁ, ଏମ.ବିସିକେଶନ ଓ ଏ. ଚେନେୟାଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।
The post ବାଚସ୍ପତିଙ୍କ ଚରମବାଣୀ: ପଞ୍ଚାୟତରୁ ଦୁର୍ନୀତି ଅଭିଯୋଗ ଆସିଲେ ତୁରନ୍ତ ଗିରଫ ହେବେ ରାଜନେତା, ଅଧିକାରୀ first appeared on Sambad.from ଜିଲ୍ଲା | Sambad https://ift.tt/3mtWmjL
0 Comments