
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ମୌସୁମୀ ବର୍ଷାର ପରିମାଣ କମୁଛି। ଗତ ୧୫ ବର୍ଷ ଧରି ଜିଲ୍ଲାରେ ବାର୍ଷିକ ବର୍ଷାର ପରିମାଣକୁ ଅନୁଶୀଳନ କଲେ ପ୍ରତି ୨ ବର୍ଷ କ୍ରମାଗତ ଭାବେ ସ୍ବାଭବିକ ଠାରୁ କମ୍ ବର୍ଷା ହେଉଛି। ଏହି ସମୟ ମଧ୍ୟରେ ୭ ଥର କମ୍ ବୃଷ୍ଟିପାତ ହୋଇଥିବା ବେଳେ ୩ ଥର ଗଜା ମରୁଡ଼ି ହୋଇଛି।
ଜିଲ୍ଲାରେ ସାଧାରଣତଃ ପ୍ରାକ୍ ମୌସୁମୀ, ମୌସୁମୀ ଓ ପରବର୍ତ୍ତୀ ମୌସୁମୀରେ ମୋଟ ୧୪୫୩.୦୪ ମିମି ବର୍ଷା ହୋଇଥାଏ। କିନ୍ତୁ ୨୦୦୭ରେ ସ୍ବାଭାବିକ ବର୍ଷା ୧୪୧୧ ମିମି ହୋଇଥିବା ବେଳେ ୨୦୦୮, ୨୦୦୯ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିଲା। ସେହିଭଳି ପୁଣି ୨୦୧୦ରେ ସ୍ବାଭାବିକ ଭାବେ ୧୪୫୯.୫ ମିମି ବର୍ଷା ହୋଇଥିଲା। ତେବେ ପରବର୍ତ୍ତୀ ଦୁଇ ବର୍ଷ ୨୦୧୧ ଓ ୧୨ରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ୨୦୧୧ରେ ଗଜାମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୩ରେ ସ୍ବାଭାବିକ ଠାରୁ ଅଧିକ ୧୮୭୨.୧ ମିମି ବର୍ଷା ହୋଇଥିବା ବେଳେ ୨୦୧୪ରେ ୧୪୧୩ ମିମି ବର୍ଷା ହୋଇଛି। ପୁଣି ପରବର୍ତ୍ତୀ ଦୁଇ ବର୍ଷ ଅର୍ଥାତ୍ ୨୦୧୫ ଓ ୧୬ ଅନାବୃଷ୍ଟି ଜନିତ ଗଜାମରୁଡ଼ି ହୋଇଥିଲା। ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସ୍ବାଭବିକ ବର୍ଷା ହୋଇଥଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା, ପୂର୍ବ ବର୍ଷ ଠାରୁ ପୁଣି ବର୍ଷାର ପରିମାଣ ହ୍ରାସ ପାଇଛି। ଅପରପକ୍ଷରେ, ଜିଲ୍ଲାରେ ୧ଲକ୍ଷ ୬ ହଜାର ହେକ୍ଟର ଧାନ ଚାଷ କରାଯାଏ। ଏହା ମଧ୍ୟରୁ ୧୭,୪୭୫ ହେକ୍ଟର ଜମି ଢିପ ଓ ୪୩୩୩୮ ହେକ୍ଟର ସାମାନ୍ୟ ଢିପ ଜମି ଅଟେ। ଯେଉଁ ସମୟରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥାଏ, ସେହି ବର୍ଷ ଏହି ୬୦ ହଜାର ହେକ୍ଟର୍ ଢିପ ଜମିରେ ଜଳ ସମସ୍ୟା ସୃଷ୍ଟି ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

ଜିଲ୍ଳା ପାଣିପାଗ ବିଭାଗରୁ ମିଳିଥିବା ସୂଚନାରେ, ଅଗଷ୍ଟ ମାସରେ ଜିଲ୍ଲାରେ ୩୦ ଦିନରୁ ସ୍ବାଭାବିକ ଭାବେ ୧୫ ଦିନ ବର୍ଷା ହୋଇଥାଏ। ଏହି ୧୫ ଦିନରେ ୩୨୦.୬ ମିମି ଅର୍ଥାତ୍ ଜୁନ୍ ଓ ଜୁଲାଇ ମାସ ଠାରୁ ଅଧିକ ବର୍ଷା ହୋଇଥାଏ। ୨୦୧୯ରେ ଏହା ୩୧୭ ମିମି ହୋଇଥିଲା। ୨୦୨୦ରେ ସ୍ବାଭାବିକ ଠାରୁ ୫୫ ମିମି ଅଧିକ ବର୍ଷା ଅର୍ଥାତ୍ ୩୭୫.୧୨ ମିମି ବର୍ଷା ହୋଇଥିଲା। ବର୍ତ୍ତମାନ ସୁଦ୍ଧା, ଅର୍ଥାତ୍ ପ୍ରଥମ ୧୫ ଦିନରେ ୬୯.୫୧ ମିମି ବର୍ଷା ହୋଇଛି। ଯାହା ସ୍ବାଭାବିକ ବର୍ଷା ଠାରୁ ଅଧା। ଜୁନ୍, ଜୁଲାଇ ଓ ଅଗଷ୍ଟ ପ୍ରଥମ ସପ୍ତାହ ବର୍ଷାର ଅଭାବରେ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଢିପ ବିଲରେ ଗଜାମରୁଡ଼ିର ଆଶଙ୍କା ଜଳଜଳ ଥିଲା। କିନ୍ତୁ ଗତ ଦୁଇ ଦିନର ବର୍ଷା ସାମାନ୍ୟ ଆଶା ସଂଚାର କରିଛି। ଆଗାମୀ ସପ୍ତାହକୁ ଚାଷୀ ଭଲ ବର୍ଷା ହେବ ବୋଲି ଆଶା କରିଛି। ବର୍ଷା ପୁଣି ଧୋକା ଦେଲେ ଧାନଫସଲ ନଷ୍ଟ ହେବାର ଯଥେଷ୍ଟେ ସମ୍ଭାବନା ରହିଛି।
ଖୋର୍ଦ୍ଧା ଜିଲ୍ଲାରେ ଜୁନ୍ ଓ ଜୁଲାଇରେ ସ୍ବାଭାବିକ ଠାରୁ ୨୦ରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଥିଲା। ଜୁଲାଇ ମାସ ଶେଷ ସପ୍ତାହରୁ ଚାଷୀ ତଳି ରୋଇବା ଓ ବେଉଷଣ ଆଦି କରିବା ଆରମ୍ଭ କରିଥିଲା। କିନ୍ତୁ, ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ବର୍ଷା ପୁଣି ହ୍ରାସ ପାଇଥିଲା। ଫଳରେ ଜିଲ୍ଲାର ଅନେକ ଆପାତତଃ ଢିପ ଜମି ବର୍ଷା ଅଭାବରୁ ଫାଟିବା ଆରମ୍ଭ କରିଥିଲା। ଚାଷର ଏଭଳି ଅବସ୍ଥା ଦେଖି ଚାଷୀ ମୁଣ୍ତରେ ହାତ ଦେଇଥିବା ବେଳେ ଗତ ୧୧ ଓ ୧୨ ତାରିଖ ଦୁଇ ଦିନର ବର୍ଷା ଚାଷୀ ମନରେ ସାମାନ୍ୟ ଆଶା ସଂଚାର କରିଛି। ଯଦି ଆଗାମୀ ସପ୍ତାହ, ଅର୍ଥାତ୍ ଅଗଷ୍ଟ ମାସର ତୃତୀୟ ସପ୍ତାହରେ ଭଲ ବର୍ଷା ନ ହୁଏ, ତେବେ ଅନେକ ଚାଷ ଜମିରେ ତଳି ଶୁଖିଯିବା ପରିସ୍ଥିତି ସୃଷ୍ଟି ହେବ ବୋଲି ଚାଷୀମାନେ ମତ ଦେଇଛନ୍ତି। ବର୍ତ୍ତମାନ, ପୁଣି ଲଘୁଚାପ ସୃଷ୍ଟି ହୋଇ ଆଗାମୀ ୪-୫ ଦିନ ବର୍ଷା ହେବା ସମ୍ଭାବନା ରହିଛି। ଯଦି ଏହି ଦିନ ବର୍ଷା ଠିକ୍ ଭାବେ ହୁଏ, ତେବେ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
The post ଖୋର୍ଦ୍ଧା ଜିଲ୍ଲାରେ କମୁଛି ମୌସୁମୀ ବର୍ଷାର ପରିମାଣ first appeared on Sambad.from ଜିଲ୍ଲା | Sambad https://ift.tt/3g2cftK
0 Comments