ଓଡ଼ଗାଁ : ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ଭୋବସର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ରାସ୍ତା ନ ଥିବାରୁ ଲୋକମାନେ ହଟହଟା ହୋଇଛନ୍ତି। ଦୁଇ ଠିକାଦାରଙ୍କ ଯୁଦ୍ଧରେ ବଳି ପଡ଼ିଛନ୍ତି ଗ୍ରାମବାସୀ। ଏବେ ରାସ୍ତା ନିର୍ମାଣ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବାଣ୍ଠପୁର ପଞ୍ଚାୟତ ବୁଢାବୁଢିଆଣିଠାରୁ ଭୋବସର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖାପାଖି ୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ କ୍ଷେତ୍ରରେ ଠିକାଦାର ପ୍ରତିବନ୍ଧକ ସାଜିଥିବା ଜଣାପଡ଼ିଛି। କାମ ପାଇଁ ବିଭାଗ ପକ୍ଷରୁ ଟେଣ୍ତର ପ୍ରକ୍ରିୟା ଆରମ୍ଭ ହେବା ପରେ ବିବାଦ ଦେଖାଦେଇଥିଲା। ଜଣେ ଠିକାଦାର ଟେଣ୍ତର୍‌ କରି କାମ ନେଇଥିବା ବେଳେ ଆଉ ଜଣେ ଠିକାଦାର ଏହାକୁ ଘୋର ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ତୁମୁଳ କାଣ୍ତ ଘଟି କାର୍ଯ୍ୟ କରିବା ନ କରିବାକୁ ଜିଦ୍‌ ଧରି ବସିଥିଲେ। ଏହି ଘଟଣାରେ ଜଣେ ଠିକାଦାର କୋର୍ଟର ଦ୍ବାରସ୍ଥ ହୋଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏପଟେ ଭୋବସର ଗ୍ରାମବାସୀ ରାସ୍ତା ଅଭାବରୁ ଅଣନିଶ୍ବାସୀ ହୋଇ ପଡ଼ିଛନ୍ତି।

ପ୍ରତିବର୍ଷ ବର୍ଷାଦିନ ଆସିଲେ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଛି। ଆଦିବାସୀ ଗାଁରେ ୨୫ ପରିବାର ବସବାସ କରୁଥିବା ବେଳେ ୧ ଶହରୁ ଊର୍ଦ୍ଧ୍ବ ଲୋକ ଅଛନ୍ତି। ଗାଁରେ ଦୋକାନ ବଜାର ନଥିବାରୁ ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଦୁର୍ଦ୍ଦିନରେ ଦିନ କାଟନ୍ତି। ବର୍ଷାଦିନେ ଭେଳା ଏକମାତ୍ର ଭରସା ବୋଲି କହିଛନ୍ତି। ବାହାରକୁ ଆସିବାକୁ ହେଲେ ଅଙ୍କାବଙ୍କା ରାସ୍ତା ଦେଇ ଯିବାକୁ ପଡ଼ିଥାଏ। କେବଳ ସେତିକି ନୁହଁ, ଜଙ୍ଗଲ ଭିତରେ ବଡ଼ବଡ଼ ପଥର ଏବଂ କିଛି ଜାଗାରେ କାଦୁଅ ପଚପଚ ରାସ୍ତାରେ ଯିବାଆସିବା କରିବାକୁ ହୁଏ। ଗାଁରେ କୌଣସି ଅଘଟଣ ଘଟିଲେ କିମ୍ବା ରୋଗୀମାନେ ଯିବାକୁ ହେଲେ ଗାଁରେ ଆମ୍ବୁଲାନ୍ସ କିମ୍ବା, ଅଗ୍ନିଶମ ଗାଡ଼ି ପହଞ୍ଚି ପାରିନଥାଏ। ଏଭଳି ପରିସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତ ବାନ୍ଧି ବସିଛି। କୋର୍ଟଙ୍କ ରାୟ ଆସିବା ପରେ କାର୍ଯ୍ୟ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି।

ତେବେ ଉଭୟ ଠିକାଦାରଙ୍କ ପାଇଁ ରାସ୍ତା ନିର୍ମାଣ ବନ୍ଦ ଥିବା ବିଭାଗୀୟ ଅଧିକାରୀ କହିଥିବା ବେଳେ ଗ୍ରାମବାସୀମାନେ କିଭଳି କାଦୁଅ ପଚପଚ ରାସ୍ତାରେ ଯିବାଆସିବା କରୁଛନ୍ତି ତାହା ସହଜରେ ଅନୁମାନ କରିହେଉଛି। ଭୋବସର ଗାଁ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ କୌଣସି ଅନୁଦାନ ଦିଆଯାଇନାହିଁ। ମନରେଗା ଯୋଜନାରେ ଗାଁକୁ ମାଟି ମୁଠାଏ ପଡ଼ିନାହିଁ। ତେବେ ରାସ୍ତା ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଗାଁକୁ ନ୍ୟାୟ କେବେ ମିଳୁଛି ତାହା ଦେଖିବାକୁ ବାକି ରହିଛି।

 

 

The post ରାସ୍ତା ପାଇଁ ଲୋକେ ହଟହଟା: ଠିକାଦାରଙ୍କ ପାଇଁ ଭୋବସର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ first appeared on Sambad.

from ଜିଲ୍ଲା | Sambad https://ift.tt/3xS21lP