
ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜରେ ଥିବା ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୨୩ ତାରିଖରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ୩ଟି ସିଟିଂରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଅନୁଷ୍ଠିତ ହେବାକୁ ଥିବା ବେଳେ ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ମଧ୍ୟରେ ଦ୍ବିତୀୟ ଓ ଅପରାହ୍ଣ ୩ଟାରୁ ୪ଟା ୩୦ ମଧ୍ୟରେ ତୃତୀୟ ସିଟିଂ ପରୀକ୍ଷା ହେବ। କେଉଁ ଦିନ କେଉଁ ବିଷୟର ପରୀକ୍ଷା କରାଯିବ ସେନେଇ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ନାମଲେଖା ଲାଗି ଏବେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଜି ସୁଦ୍ଧା ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଆବେଦନ କରି ସାରିଛନ୍ତି।
ଆଶାୟୀମାନେ ୧୪ ତାରିଖ ଯାଏ ସାମ୍ସ ୱେବସାଇଟ୍ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୨୦ରେ ସାମ୍ସ ୱେବସାଇଟ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବ। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ୧୨ରୁ ୧୭ତାରିଖ ମଧ୍ୟରେ ଚଏସ୍ ଫିଲିଂ କରିପାରିବେ। ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ସହ ୨୮ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ଅନୁଷ୍ଠିତ ହେବ। ପରୀକ୍ଷାଫଳ ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀ ମଧ୍ୟ ଅନ୍ଲାଇନ୍ରେ ଆବେଦନ କରି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ତେବେ ବିଷୟଭିତ୍ତିକ ଓ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରସ୍ତୁତ ଲାଗି ସେମାନଙ୍କୁ ନିର୍ଧାରିତ ସମୟ ସୁଦ୍ଧା ମାର୍କ ଦାଖଲ କରିବାକୁ ହେବ। ଯଦି ସେମାନେ ମାର୍କ ଦାଖଲ କରିବାରେ ବିଫଳ ହୁଅନ୍ତି, ତାଙ୍କ ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
The post ୩ଟି ସିଟିଂରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା, କାର୍ଯ୍ୟସୂଚୀ ଜାରି କଲା ଉଚ୍ଚଶିକ୍ଷା ବିଭାଗ first appeared on Sambad.from ଜିଲ୍ଲା | Sambad https://ift.tt/3jN6L7l
0 Comments