କଟକ: କଟକ ପରିବାର ଅଦାଲତରେ ଆଜି ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁପସ୍ଥିତ ଥିଲେ। ଦିଲ୍ଲୀରେ ଥିବାରୁ  ଅନୁଭବ ଆସି ପାରି ନ ଥି‌ବାବେଳେ ବର୍ଷା ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଥିବା ନେଇ ଉଭୟ ପକ୍ଷଙ୍କ ଓକିଲ ଅଦାଲତଙ୍କୁ ଅବଗତ କରିଥିଲେ। ଏଭଳି ସ୍ଥିତିରେ ଛାଡ଼ପତ୍ର ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ।

ଏଠାରେ ଉଲ୍ଲେଖଯୋଗ୍ୟ, ଜୁଲାଇ ୧୬ରେ କଟକ ପରିବାର ଅଦାଲତରେ ଛାଡପତ୍ର ମାମଲାର ଶୁଣାଣି ସମୟରେ ପୂର୍ବ ନି‌ର୍ଦ୍ଦେଶ ଅନୁସାରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ। କିନ୍ତୁ ବର୍ଷା ଆସି ନଥିଲେ। ଫଳରେ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଧାର୍ଯ୍ୟ କରାଯାଇଥିଲା। ଏହାପରେ ଜୁଲାଇ ୨୦ରେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରିବାର ଅଦାଲତରେ ବିଚାରାଧୀନ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ଅନୁଭବଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

The post ବର୍ଷା-ଅନୁଭବ ମାମଲା, କୋର୍ଟକୁ କେହି ଆସିଲେନି first appeared on Sambad.

from ଜିଲ୍ଲା | Sambad https://ift.tt/3Azv5A7