
ରିଆମାଳ : ଜଣେ ଯୁବ ଏଏସ୍ଆଇ ମାନବିକତା ଦେଖାଇ ରାସ୍ତା ନଥିବା ଗାଁ’ରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଫାଣ୍ଡି ଗାଡ଼ିରେ ଡାକ୍ତରଖାନାକୁ ପଠାଇଛନ୍ତି।
ସୂଚନା ଅନୁଯାୟୀ କୁଣ୍ଢେଇଗୋଳ ଥାନା ଖଇରପାଲି ଫାଣ୍ଡି ଦାୟିତ୍ୱରେ ଥିବା ଯୁବ ଏସ୍ଆଇ ବିଜୟ ଦେହୁରୀ କୌଣସି ଏକ ମାମଲାର ତଦନ୍ତ ପାଇଁ ଶନିବାର ସକାଳେ ଖଣ୍ଡାଧୂଆଁ ରାସ୍ତାଦେଇ ହରିହରପୁର ଗ୍ରାମକୁ ଯାଇଥିଲେ। ସେଠାରୁ କାମ ସାରି ନିକଟସ୍ଥ ବରଖୋଲ ଗ୍ରାମକୁ ବେଆଇନ ରନ୍ଧା ମଦ କାରବାର ସନ୍ଧାନରେ ବାହାରିଥିଲେ। ପ୍ରାୟ ୧୦ଟି ଆଦିବାସୀ ପରିବାର ବିଶିଷ୍ଟ ଉକ୍ତ ଗ୍ରାମକୁ ଯିବା ପାଇଁ ପାଦ ଚଲା ରାସ୍ତା ବ୍ୟତୀତ ଅନ୍ୟ ରାସ୍ତା ନାହିଁ। ଉକ୍ତ ଗ୍ରାମରେ ପହଞ୍ଚିବା ପରେ ସେଠାରେ ପୂର୍ଣ୍ଣଚନ୍ଦ୍ର ଭଦ୍ରାଙ୍କ ସ୍ତ୍ରୀ ସୁଶୀଳା ଭଦ୍ରା(୨୨) ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଉକ୍ତ ଗ୍ରାମରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ ଥିଲା। ଏହା ଦେଖି ଶ୍ରୀ ଦେହୁରୀ ତୁରନ୍ତ ଫାଣ୍ଡି ଗାଡ଼ିରେ ପ୍ରସୂତି ମହିଳାଙ୍କୁ ବସାଇ ୪ କିମି ପାହାଡିଆ ଓ ହିଙ୍ଗୁଳା ନାଳ ଅତିକ୍ରମ କରାଇବା ସହ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ।
ସୂଚନା ପାଇ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ପହଞ୍ଚିବା ପୂର୍ବରୁ ଫାଣ୍ଡି ଗାଡି ସୁଶୀଳାଙ୍କୁ ସେଠାକୁ ନେଇ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ଫାଣ୍ଡି ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ପ୍ରସବ ବେଦନାରେ ଥିବା ସୁଶୀଳାଙ୍କୁ ଆମ୍ବୁଲାନ୍ସରେ ବସାଇ ଛତାବର ଡାକ୍ତରଖାନାକୁ ପହଞ୍ଚାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଯୁବ ଏଏସ୍ଆଇ ଶ୍ରୀ ଦେହୁରୀଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
The post ପ୍ରସବ ବେଦନା ଭୋଗୁଥିଲେ ମହିଳା, ଫାଣ୍ଡି ଗାଡ଼ିରେ ଡାକ୍ତରଖାନା ପଠାଇଲେ ଫାଣ୍ଡି ଅଧିକାରୀ first appeared on Sambad.from ଜିଲ୍ଲା | Sambad https://ift.tt/2W5vdJn
0 Comments