
ଯାଜପୁର/ଦାନଗଦୀ : ବନ୍ଦ ନୀଳାଚଳ କାରଖାନାର ବିଦ୍ୟୁତ୍ ବିଲ୍ ୫୬କୋଟି ୭୦ଲକ୍ଷ ଟଙ୍କା ବାକି ଥିବାରୁ ଶନିବାର ଦିନ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି। ଫଳରେ ନୀଳାଚଳ କାରଖାନା ସହିତ ମାର୍ଥାପୁରଠାରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଓ ଡୁବୁରିଠାରେ ଥିବା କଲୋନି ଅନ୍ଧକାରରେ ବୁଡ଼ି ରହିଛି। ବିଶେଷକରି ଡୁବୁରିସ୍ଥିତ ନୀଳାଚଳ କଲୋନିରେ ବସବାସ କରିଥିବା ଶତାଧିକ କର୍ମଚାରୀଙ୍କ ପରିବାର ଓ ସେମାନଙ୍କ ପିଲାଛୁଆ ଅନ୍ଧାକାରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି କାରଖାନାକୁ ପାଣି ଯୋଗାଣ ମଧ୍ୟ ବନ୍ଦ ସାଙ୍ଗକୁ କାରଖାନା ପରିସର ଅନ୍ଧକାରରେ ବୁଡ଼ି ରହିଥିବାରୁ କୋଟିକୋଟି ଟଙ୍କାର ସାମଗ୍ରୀ ଚୋରି ହେବାର ଆଶଙ୍କା ସୃଷ୍ଟି ହୋଇଛି। ବହୁ ଦିନ ହେଲା ବିଦ୍ୟୁତ ବିଲ ବାକି ପଡ଼ିବା ଫଳରେ ଟାଟା ପ୍ରୋଜେକ୍ଟ (ଟିପିଏନଓଡିଏଲ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଯାଜପୁରରୋଡ଼୍ ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ପଚାରିବାରେ ସେ କହନ୍ତି, ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟୁତ୍ ବକେୟା ଅର୍ଥ ପୈଠ ପ୍ରତି କାରଖାନା କର୍ତ୍ତୃପକ୍ଷ ଗୁରୁତ୍ବ ନଦେବାକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଲା। ଏ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ ପାଟି ଖୋଲୁ ନାହାନ୍ତି।
ସୂଚନା ଯୋଗ୍ୟ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ କାରଖାନା ଗତ ବର୍ଷଠାରୁ ବନ୍ଦ ହୋଇଯାଇଥିବା ବେଳେ କର୍ମଚାରୀମାନେ ବର୍ଷକର ଦରମା ପାଇନାହାନ୍ତି। ଅଥଚ କାରଖାନା ପରିସରରୁ ନିୟମିତ ଉତ୍ପାଦିତ ସାମଗ୍ରୀ ଓ ସ୍କ୍ରାପ୍ ବିକ୍ରି କରି ନିଜ ଅଂଶଧନ ଓ ଘରୋଇ ବ୍ୟାଙ୍କ ଋଣ ଏମଏମଟିସି ପରିଶୋଧ କରିଚାଲିଛି। ଅଥଚ ଅବସର ପରେ ବି ଏମଡି ଦାୟିତ୍ବରେ ଥିବା ରବୀନ୍ଦ୍ର କୁମାର ଝା ଗତ ଜୁଲାଇ ମାସ ପର୍ଯ୍ୟନ୍ତ ନିଜର ଦରମା ନେଇ ସାରିଛନ୍ତି। ଏ ପରିସ୍ଥିତିରେ ୫୬.୭୦କୋଟି ଟଙ୍କା ବାକି ବିଲ୍ ନଦେବା ଘଟଣାକୁ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ସହଜରେ ଗ୍ରହଣ କରିପାରିନାହିଁ। ଆଜି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିବାରୁ ଆସନ୍ତାକାଲି ବ୍ୟାପକ ଆନ୍ଦୋଳନ କରିବାକୁ କଲୋନିବାସୀ ଓ କର୍ମଚାରୀମାନେ ସଜବାଜ ହେଉଛନ୍ତି। ଏବେ ବିଭିନ୍ନ ସିଫ୍ଟରେ ଦେଢ଼ହଜାର କର୍ମଚାରୀ କାମ କରୁଥିବା ବେଳେ ଶତାଧିକ ସୁରକ୍ଷା କର୍ମଚାରୀ କାରଖାନାକୁ ଜଗି ରହିଛନ୍ତି। ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ନିୟମିତ କାରଖାନା ପାଚେରି ଭାଙ୍ଗି ଚୋରି ହେଉଥିଲା। ଏବେ ଅନ୍ଧାରରେ କାରଖାନାକୁ କର୍ମଚାରୀମାନେ କିପରି ସୁରକ୍ଷିତ ରଖିବେ ବୋଲି ପ୍ରଶ୍ନ ଉଠିଛି।
The post ୫୬.୭୦ କୋଟି ଟଙ୍କାର ବିଲ୍ ବାକି: ନୀଳାଚଳ କାରଖାନାରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ first appeared on Sambad.from ଜିଲ୍ଲା | Sambad https://ift.tt/3sD0HSN
0 Comments