
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ନକ୍ସଲ। ଏଥିରେ ୨ ଜଣ ଆଇଟିବିପି ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ପରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ନାରାୟଣପୁର ଜିଲ୍ଲାର ବାରାସୁର ରାସ୍ତାର କରିଆମେଟା ନିକଟରେ ଆଇଟିବିପି ଯବାନ ସର୍ଚ ଅପରେସନ କରୁଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା ନକ୍ସଲ ହଠାତ ଆକ୍ରମଣ କରିଥିଲେ। ଆଖିବୁଜା ଗୁଳି ଚଳାଇଥିବା ବେଳେ ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ତେବେ ନକ୍ସଲଙ୍କ ଆକ୍ରମଣରେ ଏସ୍ଆଇ ଗୁରମୁଖ ସିଂହ ଏବଂ ଏସ୍ଆଇ ସୁଧାକର ସିନ୍ଧେ ସହିଦ ହୋଇଛନ୍ତି।
ଘଟଣା ସ୍ଥଳରୁ ନକ୍ସଲ ଏକେ-୪୭ ବନ୍ଧୁକ ସମେତ ବୁଲେଟ ପ୍ରୁଫ୍ ଜ୍ୟାକେଟ, ଵାକିଟକି ଆଦି ଲୁଟ୍ କରି ନେଇଥିବା ଜଣାପଡ଼ିଛି। ବସ୍ତର ଆଇଜି ସୁନ୍ଦରରାଜ ପି.ଙ୍କ କହିବା ଅନୁଯାୟୀ ସୁରକ୍ଷା କର୍ମୀଙ୍କ ଗସ୍ତ ସଂପର୍କରେ ପୂର୍ବରୁ ସୂଚନା ପାଇ ନକ୍ସଲ ଆମ୍ବୁସ୍ ଲଗାଇ ବସିଥିଲେ। ଯବାନ ସର୍ଚ ଅପରେସନ ବାହାରିବା ମାତ୍ରେ ଅତର୍କିତ ଗୁଳି ଚଳାଇଥିଲେ। ଆଇଟିବିପିର ୨ ଜଣ ଯବାନ ସହିଦ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। କଟେମେଟା କ୍ୟାମ୍ପ ଠାରୁ ମାତ୍ର ୬୦୦ ମିଟର ଦୂରରେ ନକ୍ସଲ ଯବାନଙ୍କ ଉପରେ ଏହି ଆକ୍ରମଣ କରିଛନ୍ତି।
The post ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲ ଆକ୍ରମଣ: ୨ ଆଇଟିବିପି ଏସ୍ଆଇ ସହିଦ first appeared on Sambad.from ଜିଲ୍ଲା | Sambad https://ift.tt/2WcUOPY
0 Comments