ରାୟଗଡ଼ା : ପୂର୍ବ ଭାରତର ବିକାଶ ପ୍ରକ୍ରିୟାରେ ଓଡ଼ିଶାକୁ ଯୋଡ଼ି ଶୀର୍ଷରେ ପହଞ୍ଚାଇବାକୁ ମୋଦୀ ସଂକଳ୍ପ ନେଇଛନ୍ତି। ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶକୁ ସେ ପ୍ରାଧାନ୍ୟ ଦେଉଛନ୍ତି। ପ୍ରତି ଘରକୁ ପାଇପ ଯୋଗେ ପାଣି, ଉଜ୍ଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସ, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ବଚ୍ଛ ଭାରତ ଅଭିଯାନ‌ରେ ପାଇଖାନା ନିର୍ମାଣ ପାଇଁ ପ୍ରୟାସ ଚାଲିଛି। ପ୍ରତି ଗାଁକୁ ଫାଇଭର ସଂଯୋଗ ସହ ରେଳ-ସଡ଼କ-ଟେଲିଫୋନ୍ ସେବା ଯୋଗାଇବାକୁ ଗୁରୁତ୍ବ ଦିଆଯାଇଛି। ରାୟଗଡ଼ା ଗସ୍ତରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଥମଥର ପାଇଁ ମୋଦୀ କ୍ୟାବିନେଟରେ ଓଡ଼ିଶାକୁ ୭ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ରେଳ, ଯୋଗଯୋଗ, ଆଇଟି, ଶିକ୍ଷା, କୌଶଳ ବିକାଶ, ଆଦିବାସୀ ବ୍ୟାପାର, ଜଳଶକ୍ତି ଭଳି ବିଭାଗ ଓଡ଼ିଶାର ଭାଗ୍ୟ ବଦଳାଇବ। ବହୁ ପ୍ରତୀକ୍ଷିତ ଗୁଣପୁର-ଥେରୁବାଲି ରେଳ ଲାଇନ ସଂଯୋଗୀକରଣକୁ ସବୁଜ ସଙ୍କେତ ଦେଇଛନ୍ତି ମନ୍ତ୍ରୀ। ଜମି ଅଧିଗ୍ରହଣ ସଂପର୍କରେ ଓଡ଼ିଶା ସରକାରଙ୍କ ସହ ଆଲୋଚନା ପରେ ପ୍ରକଳ୍ପର କିଲୋମିଟର ଅନୁଯାୟୀ ସମୀକ୍ଷା କରି ନିର୍ମାଣ କାମ ଆରମ୍ଭ ହେବ। ସେହିପରି ନୂତନ ରେଳ ଡିଭିଜନ୍ ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଡିଭିଜନ୍ କାର୍ଯ୍ୟାଳୟ ପାଇଁ ଚିହ୍ନଟ ସ୍ଥାନକୁ ମନ୍ତ୍ରୀ ବୁଲି ଦେଖିଥିବା ବେଳେ ଡିପିଆର ଅନୁଧ୍ୟାନ ପରେ କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ଗ୍ରାମାଞ୍ଚଳର ବିକାଶରେ ରାସ୍ତା ଓ ମୋବାଇଲ୍ କନେକ୍ଟିଭିଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଅପହଞ୍ଚ ଅଞ୍ଚଳକୁ ନୂତନ ରାସ୍ତା ନିର୍ମାଣ ସହ ମୋବାଇଲ୍ ଟାୱାର ସ୍ଥାପନ, ୱାଇଫାଇ, ବ୍ରଡବ୍ୟାଣ୍ଡ ସେବା ଯୋଗାଇବା କାମ ତ୍ବରାନ୍ବିତ ହେବ। ଆଦିବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣି ବିକାଶର ମୁଖ୍ୟସ୍ରୋତରେ ସାମିଲ୍ କରାଯିବ। କ୍ଷତିରେ ଚାଲିଥିବା ବିଏସ୍‌ଏନ୍ଏଲ୍ ଗତ ୪ ବର୍ଷରେ ପ୍ରଥମ ଥର ପାଇଁ ଲାଭ ଆଡ଼କୁ ମୁହାଁଉଛି। ଖୁବ୍‌ଶୀଘ୍ର ୪-ଜି ସେବା ଗ୍ରାହକଙ୍କୁ ମିଳିବ। ସମସ୍ତଙ୍କ ସହଯୋଗ ରହିଲେ ଓଡ଼ିଶାର ଦାବିକୁ ସଂପୂର୍ଣ୍ଣ ରୂପରେଖ ଦେବାରେ କୌଣସି ଅସୁବିଧା ରହିବ ନାହିଁ।

ଭୁବନେଶ୍ବରରୁ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଆସି ମନ୍ତ୍ରୀ ଭୋର ୪ଟା ୪୫ ମିନିଟରେ ରାୟଗଡ଼ା ଷ୍ଟେସନରେ ପହଞ୍ଚିଥିଲେ। ରେଳ ଯାତ୍ରା ସମୟରେ ଯାତ୍ରୀଙ୍କୁ ରେଳ ସେବା ସଂପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ। ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ପରେ ସର୍କିଟ୍ ହାଉସ୍ ଅଭିମୁଖେ ଯାଇ ସକାଳ ୮ଟାରେ ଉଜ୍ଜ୍ବଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସାଢ଼େ ୮ଟାରେ ଜନଆଶୀର୍ବାଦ ରାଲିରେ ଯୋଗଦେଇ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା” ମଝିଘରିଆଣୀଙ୍କୁ ଦର୍ଶନ କରି କରି ବୃକ୍ଷରୋପଣ କରିବା ସହ ତୃତୀୟ ଲାଇନ୍ ରେଳ କାମର ଅନୁଧ୍ୟାନ କରିଥିଲେ। ରାଲିରେ ସହର ପରିକ୍ରମା କରି ପୂଜ୍ୟପୂଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମନ୍ତ୍ରୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ଜିଲ୍ଲାର ୪୦ରୁ ଊର୍ଦ୍ଧ୍ବ ସଂଗଠନ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତତ କରାଯିବା ସହ ବିକାଶ ସଂପର୍କିତ ବିଭିନ୍ନ ଦାବିକୁ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିଜ ଗସ୍ତର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରବି ନାୟକ, ରାୟଗଡ଼ା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ଉପାଧ୍ୟକ୍ଷ କାଳୀରାମ ମାଝି, ଜିଲ୍ଲା ବିଜେପି ସାଧାରଣ ସଂପାଦକ କିଶୋର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ବେହେରା, ବସନ୍ତ ଉଲାକା, ବିଦ୍ୟା ଭୂଷଣ ପଣ୍ଡା, ରାୟଗଡ଼ା ନଗର କମିଟି ସାଧାରଣ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ବିଜେପି ଉପସଭାପତି ପଦ୍ମନାଭ ଦାଶ, ରାୟଗଡ଼ା ନଗର ସଭାପତି ଶ୍ୟାମ ସୁନ୍ଦର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ରାୟଗଡ଼ାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ପୂର୍ବ ଭାରତର ବିକାଶ ସହ ଯୋଡ଼ିହେବ ଓଡ଼ିଶା first appeared on Sambad.

from ଜିଲ୍ଲା | Sambad https://ift.tt/3zjS2rb