
ସୁନ୍ଦରଗଡ଼/ଵାଲିଶଙ୍କରା: ଚଢ଼ା ଦରରେ ଡିଏପି ସାର କିଣିଲେ। ଜମିରେ ପକାଇଲା ବେଳକୁ ତାହା ସାର ନୁହେଁ, ମାଟି ଜଣାପଡ଼ିଲା। ଏହା ପରେ ଚାଷୀଙ୍କୁ ସାର ବିକ୍ରେତା ଆଉ ଧରାଛୁଆଁ ଦେଲେ ନାହିଁ। ଚାଷୀ ଠକାମିରେ ପଡ଼ିଲେ। ଏହି ଅଭିଯୋଗ ନେଇ ପ୍ରଗତି ଦଳ ନେତୃତ୍ଵରେ ଚାଷୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିବା ପରେ ଵି କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ଚାଷୀମାନେ ତଳସରା ଛକରେ ସୁନ୍ଦରଗଡ଼- ଛତିଶଗଡ଼ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ସ୍ଥାନୀୟ କୃଷି ଵିଭାଗ ଅଧିକାରୀଙ୍କୁ ବଦଳି ଓ ଚାଷୀଙ୍କୁ କ୍ଷତିପୂରଣ ଦେଵାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।
ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାଲିଶଙ୍କରା ଅଞ୍ଚଳର ଶତାଧିକ ଚାଷୀ ରାଉଲଡେଗାସ୍ଥିତ ଉପ ପଟେଲଙ୍କ ସାର ଦୋକାନରୁ ଡିଏପି ସାର କିଣିଥିଲେ। ଦୋକାନୀ ସାର ମିଳୁନି କହି ସରକାରଙ୍କ ଧାର୍ଯ୍ୟ ଦର ଠାରୁ ଅଧିକ ନେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଜମିରେ ସାର ପକାଇବା ପରେ ଏହା ନକଲି ଓ ବହୁ ଭାଗ ମାଟିମିଶା ଥିବା ଜଣାପଡ଼ିଥିଲା। ସାର ମାଟିରେ ପଡ଼ୁ ପଡ଼ୁ ତରଳି ଯିବା କଥା। କିନ୍ତୁ ଗୋଟା ଗୋଟା ହୋଇ ପଡ଼ି ରହିଥିବା ଦେଖି ଚାଷୀ ସମ୍ପୃକ୍ତ ଦୋକାନୀକୁ ପଚାରିଥିଲେ, କିନ୍ତୁ ସେ ଆଉ ଧରାଛୁଆଁ ଦେଉ ନଥିବା ବେଳେ ତାଙ୍କ ପରିବାର ଲୋକେ ଚାଷୀଙ୍କ ସହ ଝଗଡ଼ା କରୁଥିବା ପ୍ରକାଶ ପାଇଛି।

ଏ ସଂକ୍ରାନ୍ତରେ ଠକାମିରେ ପଡ଼ିଥିବା ଚାଷୀମାନେ ତଳସରା ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କିଛି ନଶୁଣିବାରୁ ଗୁରୁବାର ପ୍ରଗତି ଦଳ ନେତୃତ୍ବରେ ସୁନ୍ଦରଗଡ଼ ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନ୍ୟାୟ ମାଗିଥିଲେ। ଆଜି ରାସ୍ତାରୋକରେ ପ୍ରଗତି ଦଳ ରାଜ୍ୟ ସମ୍ପାଦକ ସନ୍ତୋଷ ସାହୁ, ଜ଼ିଲ୍ଲା ସଭାପତି ପ୍ରଫୁଲ୍ଲ ରୋହିଦାସ, ସଦର ବ୍ଲକ ସଭାପତି ସଞ୍ଜୟ ଦେଓ, ବାଲିଶଙ୍କର ବ୍ଲକ ସଭାପତି ବାଙ୍କ ମାଝୀ, ନଗର ସଭାପତି ଶ୍ରୀ ମନୋଜ କୁମାର ସାହୁଙ୍କ ସହ ଚାଷୀ ବିରବଲ ଧାନ୍ଧି, ମଲ୍ଲୀ ଧାନ୍ଧି, ସୁଷମା ମିଞ୍ଜ, ଅନୀଳ ମିଞ୍ଜ, ଉଇଲିୟମ କୁଜୁର, ଲଲୀନ୍ଦ୍ର ମିଞ୍ଜ, ରାଜନ କିଡ଼ୋ, ସୁଧିର ମିଞ୍ଜ, ମୀନକେତନ କିସାନ, ବଳଦୀପ ଲାକ୍ରା, ସଂଯୁକ୍ତା ଧାନ୍ଧି, କାର୍ମିଲା ମିଞ୍ଜ, କିଶୋର ବାର୍ଲା, ବାଲେଶ୍ବର ତନ୍ତୀ, ବିଭୀଷଣ ଖମଣିଆ, ସସ୍ମିତା ଧାନ୍ଧି, ମାଧ କୁଜୁର, କେଶରୀ ଏକ୍କା, ବିଜୟ କୁଜୁର, ଉଦୟ କୁଜୁର, ପ୍ରଶାନ୍ତ କୁଜୁର, ସମୀର କୁଜୁର ପ୍ରମୁଖ ସାମିଲ ହୋଇଛନ୍ତି। ରାସ୍ତାରୋକ ଯୋଗ ରାସ୍ତାର ଉଭୟ ପଟେ ଶହଶହ ଗାଡି ଅଟକି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଵୁଝାଶୁଝା କରୁଛି।
The post ସାର କିଣି ଠକାମିରେ ପଡ଼ି ଚାଷୀଙ୍କ ରାସ୍ତାରୋକ first appeared on Sambad.from ଜିଲ୍ଲା | Sambad https://ift.tt/3Do15tj
0 Comments