ବ୍ୟକ୍ତିଗତ ଭାବେ ଅଲିମ୍ପିକ୍ସରେ ମେଡାଲ ଜିତିନପାରିବା ଜୀବନବ୍ୟାପୀ କଷ୍ଟ ଦେବ: ଇଗ୍ନେସ

ରାଉରକେଲା: ଟୋକିଓ ଅଲିମ୍ପିକ୍‌ରେ ଖେଳୁଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ପ୍ରଶଂସାରେ ପୋତି ଦେଇଛନ୍ତି ହକି ଅଲିମ୍ପିଆନ ପଦ୍ମଶ୍ରୀ ଇଗ୍ନେସ୍‌ ତିର୍କୀ। ଉଭୟ ପୁରୁଷ ଓ ମହିଳା ଦଳ ପାଖରେ କରିସ୍ମା ଦେଖାଇବାର କଳା ଭରପୁର୍‌ ରହିଛି। ଏମାନେ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରଖିଛନ୍ତିବୋଲି ‘ସମ୍ବାଦ’କୁ କହିଛନ୍ତି ଇଗ୍ନେସ୍‌।

ପୁରୁଷ ଦଳ ବିଷୟରେ କହିଛନ୍ତି, ଆମ ଖେଳାଳି ବେଶ୍‌ ଦକ୍ଷ ଓ ସୁସଂଗଠିତ। ବିଶେଷକରି ପେନାଲ୍‌ଟି କର୍ଣ୍ଣର୍‌ରେ ଶତପ୍ରତିଶତ ସଫଳତା ହାସଲ କରୁଛନ୍ତି; ଯାହାକି ଜଣେ ଚାମ୍ପିଅନର ଲକ୍ଷଣ। ଏତଦ୍‌ବ୍ୟତୀତ ଦଳର ଆକ୍ରମଣ, ରକ୍ଷଣ ଓ ତାଳମେଳ ବିଶ୍ବସ୍ତରୀୟ। ଦଳ ଆଜି କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନ୍‌କୁ ୩-୧ରେ ପରାସ୍ତକରି ୪୧ ବର୍ଷ ପରେ ସେମିଫାଇନାଲ ପ୍ରବେଶ କରି ନୂଆ ତୀର୍ତ୍ତମାନ ସ୍ଥାପନ କରିଛି। ପ୍ରତିଯୋଗିତାରେ ଏହି ଦଳ ଚମତ୍କାର ଖେଳ ଜାରି ରଖିବ। ମୁଁ ଦୃଢ଼ ନିଶ୍ଚିତ, ଦଳ ଫାଇନାଲ‌ରେ ପହଞ୍ଚିବ। ଏଥର ଦଳ ଇତିହାସ ରଚି ମେଡାଲ ଆଣିବବୋଲି ହୃଦ୍‌ବୋଧ ହୁଏ। ସେହିଭଳି ମହିଳା ହକି ଦଳର କ୍ରୀଡ଼ା ନୈପୁଣ୍ୟ ତାଙ୍କୁ ବିମୋହିତ କରିଥିବା କହିଛନ୍ତି। ବିଶେଷକରି ଓଡ଼ିଆ ତାରକା ଦୀପଗ୍ରେସ୍‌ ଏକ୍କା ଓ ଉଦୀୟମାନ ଖେଳାଳି ସାଲିମା ଟେଟେଙ୍କ ଖେଳ ଉଚ୍ଚକୋଟୀର। ଏହି ଦଳ ବି ନୂଆ ଇତିହାସ ରଚିବବୋଲି କହିଛନ୍ତି ଇଗ୍ନେସ୍‌।

‘ସମ୍ବାଦ’ ସହ ଆଲୋଚନାବେଳେ ନିଜ ଅଲିମ୍ପିକ୍‌ ଅଭିଜ୍ଞତାକୁ ଗୋଟିଗୋଟି କରି ମନେ ପକାଇଥିଲେ। ୨୦୦୪ ଏଥେନ୍ସ ଅଲିମ୍ପିକ୍‌ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ଭାରତୀୟ ଦଳର ପ୍ରତିନିଧି କରିବା ଜୀବନର ଶ୍ରେଷ୍ଠ ମୂହୁର୍ତ୍ତ। ଦିଲୀପ ତିର୍କୀ ସବୁବେଳେ କ୍ରୀଡ଼ାକୌଶଳରେ କିଭଳି ଉନ୍ନତି କରିହେବ ପରାମର୍ଶ ଦେଉଥିଲେ। ଆମ ସମୟରେ ଗୋଟିଏ ଦଳ ‌ସିଧାସଳଖ ସେମିଫାଇନାଲ ସ୍ଥାନ ସୁରକ୍ଷିତ ରଖିବାକୁ ଲଢ଼େଇ କରୁଥିଲା। ଏବେ କ୍ବାର୍ଟର ଫାଇନାଲ ପର୍ଯ୍ୟାୟ ରହିଛି; ଯାହାକି ସାଂପ୍ରତିକ ଦଳଗୁଡ଼ିକୁ ଅଧିକ ସୁହାଉଛି। ୨୦୦୪ ଓ ୨୦୧୨ ଅଲିମ୍ପିକ୍ସ୍‌ ଦଳ ବେଶ୍‌ ଅଭିଜ୍ଞ ଓ ପାରଙ୍ଗମ ଥିଲା। ମେଡାଲ୍‌ ଜିତିବାର ସମସ୍ତ ସୁଯୋଗ ଥିଲା, ମାତ୍ର ଆଶାନୁରୂପ ଫଳ ମଳିନଥିଲା; ଯାହାକି ବହୁମାତ୍ରାରେ ନିରାଶ କରିଥିଲା। ଅଲିମ୍ପିକ୍ସରେ ମେଡାଲ ଜିତିନପାରିବା ଦୁଃଖ, ଜୀବନବ୍ୟାପୀ କଷ୍ଟ ଦେବବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଏହି ପୂର୍ବତନ ଛାତ୍ର ପ୍ରାୟ ୧୨ ବର୍ଷ ଧରି ଭାରତର ପ୍ରତିନିଧିତ୍ବ କରିଥିଲେ। ପାଖାପାଖି ୨୯୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ସହ ଭାରତୀୟ ଦଳର ନେତୃତ୍ବ ବି ନେଇଥିଲେ। ହକି ପ୍ରତି ଅବଦାନ ପାଇଁ ତାଙ୍କୁ ୨୦୦୯ ମସିହାରେ ଅର୍ଜୁନ ପୁରସ୍କାର, ୨୦୧୦ରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ କରାଯାଇଥିଲା। ଇଗ୍ନେସ ୨୦୦୧ ମସିହାରେ କନିଷ୍ଠ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୦୧ କନିଷ୍ଠ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ତାଙ୍କ ସମୟରେ ଦଳ ଏକାଧିକ କୃତିତ୍ବ, ଯଥା- ଚାମ୍ପିଅନ୍‌ସ ଚାଲେଞ୍ଜ୍‌ ଟ୍ରଫି(୨୦୦୧) ବିଜେତା, କନିଷ୍ଠ ବିଶ୍ବକପ୍‌(୨୦୦୧) ବିଜେତା, ଏସିଆନ ଗେମ୍ସ(୨୦୦୨)ରେ ଉପବିଜେତା, ଏସିଆ କପ୍‌(୨୦୦୩) ବିଜେତା, ଚାମ୍ପିଅନ୍‌ସ ଟ୍ରଫି(୨୦୦୪) ଚତୁର୍ଥ ସ୍ଥାନ, ଆଫ୍ରୋ-ଏସିଆନ ଗେମ୍‌ସ(୨୦୦୩), ସୁଲତାନ ଆଜଲାନ ଶାହ କପ୍‌(୨୦୦୪) ୫ମ ସ୍ଥାନ ହାସଲ କରିଥିବା ତଥା ଏସିଆ, ଆଫ୍ରିକା, ଅଷ୍ଟ୍ରେଲିଆ, ୟୁରୋପ ଆଦି ଗସ୍ତରେ ନିର୍ଭରଯୋଗ୍ୟ ଡିଫେଣ୍ଡର୍‌ଭାବେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ତେବେ ୨୦୦୩ ମସିହାରେ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ନିର୍ଣ୍ଣାୟକ ଗୋଲ୍‌କୁ ଏଯାଏଁ ଭୁଲିନାହାନ୍ତି ହକି ପ୍ରେମୀ। କୁଆଲାଲାମ୍‌ପୁରରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଉଭୟ ଦଳ ୨-୨ ଗୋଲ୍‌ରେ କରି ସମାନ ସ୍ଥିତିରେ ରହିଥିଲେ। ତେବେ ଶେଷ ମୂହୁର୍ତ୍ତରେ ଇଗ୍ନେସ ପ୍ରତିପକ୍ଷ ଖେଳାଳି ସୋହେଲ୍‌ ଆବ୍ବାସ୍‌ଙ୍କୁ ଚକ୍‌ମା ଦେଇ ଏକ ଅବିଶ୍ବସନୀୟ ଗୋଲ ଦେଇଥିଲେ, ଯଦ୍ବାରା ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା। ଇଗ୍ନେସ୍‌ ଫାଇନାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

The post ଏଥର ହକିରେ ମେଡାଲ ସୁନିଶ୍ଚିତ: ଇଗ୍ନେସ ତିର୍କୀ first appeared on Sambad.

from ଜିଲ୍ଲା | Sambad https://ift.tt/3fgQ3eT