ରାଉରକେଲା: ମା’ ଦ୍ବାରା କରାଯାଉଥିବା ନାବାଳିକା ଝିଅର ବିବାହକୁ ବିରୋଧ କରିଛି ବାପା। ପୁଲିସ, ଚାଇଲ୍‌ଡ ଲାଇନର ହସ୍ତକ୍ଷେପରେ ନାବାଳିକା ବିବାହକୁ ବନ୍ଦ କରାଯାଇଛି। ପୁଲିସ ନାବାଳିକା କନ୍ୟାକୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରିଛନ୍ତି। ବରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଆସନ୍ତାକାଲି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଥାନାରେ ଲିଖିତ ଏତଲା ଦେବା ପରେ ଥାନା ପକ୍ଷରୁ ବର ଓ ତାଙ୍କ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଟିମ୍ବର କଲୋନି ମା’ ବୈଷ୍ଣୋଦେବୀ ମନ୍ଦିର ନିକଟରେ ନାବାଳିକା ଓ ତାଙ୍କ ପରିବାର ରହନ୍ତି। ନାବାଳିକାର ମା’ ଉତ୍ତରପ୍ରଦେଶ ଗୋରଖପୁର ଜଣେ ୩୦ ବର୍ଷୀୟ ଯୁବକଙ୍କ ସହ ତାଙ୍କ ଝିଅର ବିବାହ ଠିକ୍‌ କରିଥିଲେ। ସମୟ ନିର୍ଘଣ୍ଟ ଅନୁଯାୟୀ ଆଜି ପୂର୍ବାହ୍ନରେ ହନୁମାନ ବାଟିକାରେ ଉଭୟ କନ୍ୟା ଓ ବର ପରିବାର ଲୋକଙ୍କ ପହଞ୍ଚିଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଯୁବକ ଜଣକ ନାବାଳିକା ଝିଅକୁ ବିବାହ କରିଥିଲେ। ପରେ ବର-କନ୍ୟା ଦୁହେଁ ପରିବାର ସହ ଟିମ୍ବର କଲୋନିରେ ପହଞ୍ଚିଥିଲେ। ନାବାଳିକା ବାପା ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ପ୍ରମିଳା ଦାସ ଓ ଅନ୍ୟମାନଙ୍କୁ ଜଣାଥିଲେ। ପ୍ରମିଳା ଦାସ ନାବାଳିକା ବିବାହ ସମ୍ପର୍କରେ ପ୍ଲାଣ୍ଟସାଇଟ୍‌ ଥାନା ଓ ଚାଇଲ୍‌ଡ ଲାଇନ୍‌ ଖବର ଦେଇଥିଲେ। ପୁଲିସ, ଚାଇଲ୍‌ଡ ଟିମ୍‌ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲେ। ପରେ ପୁଲି ନାବାଳିକାଙ୍କୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରିଥିଲେ। ସେପଟେ ନାବାଳିକା ବିବାହକୁ ପ୍ରତିବାଦ କରିବାକୁ କେନ୍ଦ୍ର କରି ଟିମ୍ବର କଲୋନିରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

The post ନାବାଳିକା ବିବାହ ବନ୍ଦ କଲା ପୁଲିସ, କନ୍ୟା ଚାଇଲ୍‌ଡ ଲାଇନରେ, ବର ଥାନାରେ first appeared on Sambad.

from ଜିଲ୍ଲା | Sambad https://ift.tt/3Cbr9Ho