ଖୋର୍ଦ୍ଧା : ମାନବବାଦୀ ସଂଗଠନ ଓ ଏହାର ମୁଖିଆ ମାନସ ଦାସ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ଆଜି ୯ଟି ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ହିନ୍ଦୁ ଜାଗଣରଣ ସାମୁଖ୍ୟ ପକ୍ଷରୁ ଏହାର ରାଜ୍ୟ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଓକିଲ ସଂଘ ସଭାପତି ଅଜିତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କୁ ଭେଟି ମାନସ ଦାସ ଓ ମାନବବାଦୀ ସଂଗଠନ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମାନସ ଦାସଙ୍କୁ ହିନ୍ଦୁ ବିରୋଧୀ, ରାଷ୍ଟ୍ରର ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ ପାଇଁ କେଉଁଠାରୁ ଟଙ୍କା ଆସୁଛି, ଏହି ସଂଗଠନ କିଭଳି ଭାବେ ଏକାଧିକ ଅପରାଧରେ ଜଡ଼ିତ ରହିଛି ସେନେଇ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଏଠାରେ କୌଣସି ଜାତି ଧର୍ମଗତ ବିଦ୍ୱେଷ ନାହିଁ, ଏଭଳି ପରିସ୍ଥିତିରେ ଜାତି ଆଦିକୁ ନେଇ ହିନ୍ଦୁଙ୍କ ମଧ୍ୟରେ ମାନବବାଦୀ ସଂଗଠନ ତାଲିବାନୀ ଶାସନ ଦ୍ୱାରା ଡରାଇ ଧମକାଇ ନିରୀହ ଅଶିକ୍ଷିତ ଆଦିବାସୀଙ୍କୁ ନେଇ ବିଦ୍ୱେଷ ସୃଷ୍ଟି କରୁଛି । ଏଣୁ ମାନସ ଦାସକୁ ତୁରନ୍ତ ଗିରଫ କରାଯିବା ସହ ମାନବବାଦ ସଂଗଠନ, ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚକୁ ତୁରନ୍ତ ଅସିଦ୍ଧ କରାଯାଉ ।

ସେହିଭଳି ଦାଣ୍ଡିମାଳ ସେବକ ସଂଘ, ଦଳିତ ଆଦିବାସୀ ସୁରକ୍ଷା ମଂଚ, ଏକଲବ୍ୟ ଶବର ସଂଘ, ଶ୍ରୀଶ୍ରୀ ନୀଳମାଧବ ଆଦିବାସୀ ସଂଘ, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ବିଶ୍ୱାବସୁ ଶବର ସଂଘ, ଖୋର୍ଦ୍ଧା ଜିଲ୍ଲା ଶବର ସଂଘ, ନୟାଗଡ଼ ଜିଲ୍ଲା ଶବର ସଂଘ ପକ୍ଷରୁ ମିଳିତ ଭାବେ ଦାସ୍ମୋ ବ୍ୟାନରେ ଆଜି ଏସ୍ପି ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଭାଗବତ ବେହେରା, ଦାସମୋର ରାଜ୍ୟ ସଭାପତି ବିଦ୍ୟାଧର ଦେହୁରୀଙ୍କ ନେତୃତ୍ୱରେ ସଂଗଠନର ପ୍ରତିନିଧିମାନେ ଏସ୍ପିଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତରେ ରାଜ୍ୟରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥିବା, ଆଦିବାସୀଙ୍କ ଜୀବନ ଜୀବିକା ନଷ୍ଟ କରିଥିବା, ଆଦିବାସୀଙ୍କୁ ନିର୍ଯାତନ ଓ ହତ୍ୟା କରୁଥିବା ମାନସ ଦାସଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହା ସହ ସେ ଚଳାଉଥିବା ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ ଓ ମାନବବାଦ ସଂଗଠନକୁ ତୁରନ୍ତ ଅସିଦ୍ଧ କରି ଏହାର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

 

The post ମାନସ ଦାସ ଓ ମାନବବାଦୀ ସଂଗଠନ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ୯ ସଂଗଠନର ଦାବିପତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3BuabTD