ବାରିପଦା: ପେସା ଗ୍ରାମସଭା ପକ୍ଷରୁ ଆଜି ଦିଆଯାଇଥିବା ମୟୂରଭଞ୍ଜ ଜିଲ୍ଲା ବନ୍ଦର ପ୍ରଭାବ ବାରିପଦାରେ ଆଂଶିକ ଭାବେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ପେସାର କର୍ମକର୍ତ୍ତାମାନେ ମୁର୍ଗାବାଡ଼ି, ପାଲବଣିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ବାରିପଦା ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅବରୋଧ ହଟାଇଥିଲେ। ପରେ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗକୁ ଆସିଥିଲେ। ମାତ୍ର ପୁଲିସ୍ କୌଣସି ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାରୁ ସେମାନଙ୍କୁ କ୍ଷାନ୍ତ ରଖିଥିଲା। ତେଣୁ ଆଜି ବାରିପଦାରେ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ଥିବା ଦେଖାଯାଇଥିଲା।

ସେହିପରି ଆଜି ମାସ ଶେଷ ମଙ୍ଗଳବାର ହୋଇଥିବାରୁ ବାରିପଦାରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ତେଣୁ ବନ୍ଦର ସେପରି କୌଣସି ପ୍ରଭାବ ପରିଲକ୍ଷିତ ହୋଇନଥିଲା। ସକାଳୁ ସକାଳୁ କିଛି ସମୟ ପାଇଁ ବସ୍ ପରିବହନ ବନ୍ଦ ରହିଥିଲା। ମାତ୍ର କିଛି ଘଣ୍ଟା ପରେ ବସ୍ ଯାତାୟତ ଆରମ୍ଭ କରିଥିଲା। ଜାହିରାରେ ଅଣଆଦିବାସୀମାନେ ପଶି ଭଙ୍ଗାରୁଜା କରିବା ସହିତ ଅନ୍ୟାନ୍ୟ ବିଭିନ୍ନ ଅଭିଯୋଗ ଆଣି ଆଜି ପେସା ଗ୍ରାମସଭା ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ସଂଗଠନର ନେତୃବୃନ୍ଦଙ୍କ ସହିତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

The post ମୟୂରଭଞ୍ଜ ଜିଲ୍ଲା ବନ୍ଦ: ବାରିପଦାରେ ଆଂଶିକ ପ୍ରଭାବ, ଖୋଲା ରହିଲା ସରକାରୀ କାର୍ଯ୍ୟାଳୟ first appeared on Sambad.

from ଜିଲ୍ଲା | Sambad https://ift.tt/3yuruSB