
କୋକସରା : ରାସ୍ତା ମରାମତି ପାଇଁ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କୁ ଅଭିଯୋଗ କରି ଥକିଗଲେ ସିନା, କିନ୍ତୁ କୌଣସି ଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି କୋକସରା ବ୍ଲକ୍ ସାନ ପୋଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଯୁବଗୋଷ୍ଠୀ।
ଏହି ଗ୍ରାମରକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଅଳ୍ପ ବର୍ଷା ହେଲେ କାଦୁଅ ରାସ୍ତାରେ ଯିବାକୁ ପଡ଼ିଥାଏ। ଗ୍ରାମବାସୀ ଏହି ରାସ୍ତାକୁ ପକ୍କା କରିବା ପାଇଁ କୋକସରା ବ୍ଲକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। କିନ୍ତୁ ସେମାନଙ୍କ ଗାଁର ରାସ୍ତାର ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। ମଙ୍ଗଳପୁର ଗାଁର ଲୋକେ କୌଣସି ଜରୁରୀ କାମରେ ବ୍ଲକ୍ ସଦର ମହକୁମାକୁ ଯିବାକୁ ହେଉ, କିମ୍ବା ସ୍ବାସ୍ଥ୍ୟ ସମସ୍ୟା ପାଇଁ ହସ୍ପିଟାଲ ଯିବାକୁ ହେଉ; ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ।
ରାସ୍ତା ମରାମତି ପାଇଁ ପ୍ରଶାସନ ନଶୁଣିବାରୁ ଶେଷରେ ଗାଁ ରାସ୍ତାର ମରାମତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ। ଗ୍ରାମର ଉଦ୍ୟମୀ ଯୁବକ ଶୁଭମ ନାଗଙ୍କ ନେତୃତ୍ୱରେ ରସିକଲାଲ ନାଗ, ପରକ୍ଷୀତ ଧରୁଆ, ବଂଶୀଧର ବିହାରୀ, କୋଳିଶର ଚନ୍ଦ୍ର ନାଏକ, ଯୁଧିଷ୍ଠିର ବାଗ, ମୁନା ବିହାରୀ, ସତ୍ୟାନନ୍ଦ ନାଏକ ପ୍ରମୁଖ ଯୁବକମାନେ ରାସ୍ତାରେ ମୋରମ ପକାଇ ମରାମତି କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି।
The post ଶୁଣିଲାନି ପ୍ରଶାସନ, ନିଜେ ରାସ୍ତା ମରାମତି କଲେ ଯୁବଗୋଷ୍ଠୀ first appeared on Sambad.from ଜିଲ୍ଲା | Sambad https://ift.tt/3iuYC8b
0 Comments