
ବଲାଙ୍ଗୀର/ ମୁରିବାହାଲ : ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସୋମବାର ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ର ଅତିରିକ୍ତ ଶିକ୍ଷା ଅଧିକାରୀ (ଏବିଇଓ) ଦେବରାଜ ଦାସ। ଭିଜିଲାନ୍ସ ବିଭାଗ ଏବିଇଓଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମସିହାରେ ମୁରିବାହାଲ ବ୍ଲକ୍ ଚାଉଲଫୁପୁଡ଼ା ସ୍କୁଲର ଶିକ୍ଷକ ବୈଧ୍ରୁତ ସାହୁଙ୍କୁ ସ୍କୁଲରେ ଅନୁପସ୍ଥିତ ଥିବା ଦର୍ଶାଇ ବିଇଓ ନିଲମ୍ବନ କରିଥିଲେ। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଥିଲେ ଏବିଇଓ ଶ୍ରୀ ଦାସ। ଘଟଣାର ତଦନ୍ତ ସରିଥିଲେ ମଧ୍ୟ ସେ ବିଇଓଙ୍କୁ ରିପୋର୍ଟ ଦେବାରେ ବିଳମ୍ୱ କରିଥିଲେ। ତେଣୁ ଶୀଘ୍ର ରିପୋର୍ଟ ଦେବାକୁ ନିଲମ୍ବିତ ଶିକ୍ଷକ ଶ୍ରୀ ସାହୁ ଏବିଇଓଙ୍କୁ ଅନୁରୋଧ କରିଥିଲେ। ରିପୋର୍ଟ ଶିକ୍ଷକଙ୍କ ସପକ୍ଷରେ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବିଇଓ। ଶେଷରେ ୫ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ନିଲମ୍ବିତ ଶିକ୍ଷକ ଶ୍ରୀ ସାହୁ ଏନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ତରଫରୁ ତାଙ୍କୁ କେମିକାଲ ଲଗା ଟଙ୍କା ଦିଆଯାଇଥିଲା। ନିଜ ଅଫିସରେ ଏବିଇଓ ଶ୍ରୀ ଦାସ ନିଲମ୍ବିତ ଶିକ୍ଷକଙ୍କଠାରୁ ଉକ୍ତ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା। ଏହି ଚଢ଼ଉରେ ବଲାଙ୍ଗୀର, ସୋନପୁର, ସମ୍ବଲପୁରର ଭିଜିଲାନ୍ସ ଟିମ୍ ସାମିଲଥିଲେ। ଏବିଇଓଙ୍କ କାର୍ଯ୍ୟାଳୟରେ ଥିବା କାଗଜପତ୍ର ଜବତ କରାଯାଇଛି। ମୁରିବାହାଲର ଭଡ଼ାଘରରେ ମଧ୍ୟ ତଦନ୍ତ କରାଯାଇଛି। ପୁରୀ ଜିଲ୍ଲା ପିପିଲିରେ ଥିବା ତାଙ୍କ ଘର ଉପରେ ମଧ୍ୟ ନଜର ରଖାଯାଇ ଏହାର ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ବହୁଦିନରୁ ମୁରିବାହାଲ ବ୍ଲକ୍ରେ ବିଇଓ ପଦ ଖାଲିଥିଲା। ଫଳରେ ବ୍ଲକ୍ ଶିକ୍ଷା ବିଭାଗରେ ଅନେକ ଅସୁବିଧା ହେଉଥିଲା। ରାଜ୍ୟ ସରକାର ଏଥିପାଇଁ ଏବିଇଓ ଶ୍ରୀ ଦାସଙ୍କ ପଦୋନ୍ନତି କରି ମୁରିବାହାଲରେ ହିଁ ବିଇଓ ଭାବେ କାର୍ଯ୍ୟ କରିବାକୁ ଚିଠି କରିଥିବା ଜଣାପଡ଼ିଛି।
The post ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ମୁରିବାହାଲ ଏବିଇଓ first appeared on Sambad.from ଜିଲ୍ଲା | Sambad https://ift.tt/3zbZyEp
0 Comments