ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ୍‌ ଭୁର୍ଷାଗୁଡ଼ା ପଞ୍ଚାୟତର ଘର ନିର୍ମାଣ ସ୍ଥାନକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି। ଏହାକୁ କେନ୍ଦ୍ର କରି ସୋମବାର ଗଞ୍ଜିଆପଡ଼ା ଓ ଟିଟିସିଲେଟ ଗ୍ରାମବାସୀ ୧୬ ନମ୍ବର ରାଜ୍ୟ ରାଜପଥକୁ ଚାନ୍ଦୋତରା ଛକରେ ୧୦ ଘଣ୍ଟା ଧରି ଅବରୋଧ କରିଥିଲେ।

ପ୍ରକାଶ ଯେ ଭୁର୍ଷାଗୁଡ଼ାକୁ ୨୦୧୭ ମସିହାରେ ନୂଆ ପଞ୍ଚାୟତ ଭାବେ ଘୋଷଣା କରାଗଲା। ଇତିମଧ୍ୟରେ ୪ବର୍ଷ ବିତିଯାଇଥିଲେ ହେଁ ଏହି ପଞ୍ଚାୟତର ନିଜସ୍ବ ଘର ତିଆରି ହୋଇ ନଥିଲା। ତେଣୁ ଗତ କିଛିଦିନ ତଳେ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୁର୍ଷାଗୁଡ଼ା ଗାଁରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଠାରେ ନୂଆ ପଞ୍ଚାୟତ ଗୃହ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି। ଉକ୍ତ ସ୍ଥାନ ଗଞ୍ଜିଆପଡ଼ା ଓ ଟିଟିସିଲେଟ ଗାଁର ଲୋକଙ୍କୁ ଦୂର ପଡ଼ିବ। ତେଣୁ ନିର୍ମାଣ କାମ ବନ୍ଦ କରିବାକୁ ଉଭୟ ଗାଁର ଲୋକେ ପ୍ରାଶାସନିକ ଅଧିକାରୀମାନଙ୍କୁ ଜଣାଇଥିଲେ। କିଛି ଫଳ ନମିଳିବାରୁ ସେମାନେ ଭବାନୀପାଟଣା-ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।

ସିନ୍ଧେକେଲା ଥାନାଧିକାରୀ ପଞ୍ଚାନନ ନାଏକ ଏବଂ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଜିଦରେ ଅଟଳ ଥିଲେ। ସନ୍ଧ୍ୟା ୫ଟା ସମୟରେ ଏସ୍‌ଡିପିଓ ଏସ୍‌ଏନ୍‌ ଶତପଥୀ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କିଛିଦିନ ଭିତରେ ଗଞ୍ଜିଆପଡ଼ା, ଟିଟିସିଲେଟ ଓ ଭୁର୍ଷାଗୁଡ଼ା ଗାଁର ଲୋକଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏହି ରାସ୍ତାରୋକରେ ରୂପେଶ ବେହେରା, ପଞ୍ଚାନନ ପୁଟେଲ, ଲୀଲା ଶଙ୍କର ପୁଟେଲ, ଦେବେନ୍ଦ୍ର ପୁଟେଲ, ବିଜୟ ସରାଫ, ଯୁଗେଶ୍ବର ଜାନୀ, ପୀତାମ୍ବର ବେହେରା, ଚନ୍ଦ୍ରଶେଖର ସାହୁ, ସୁର ସୁନା, ବେନି ଭୋଇ, ତିଳେଶ୍ବର ସାହୁ, ପାଞ୍ଚାଳି ବାଗ ପ୍ରମୁଖ ସାମିଲଥିଲେ।

The post ନୂଆ ପଞ୍ଚାୟତ ଘର ନିର୍ମାଣ ସ୍ଥାନକୁ ନେଇ ଅସନ୍ତୋଷ, ଗଞ୍ଜିଆପଡ଼ା ଓ ଟିଟିସିଲେଟ ଗ୍ରାମବାସୀଙ୍କ ରାସ୍ତାରୋକ first appeared on Sambad.

from ଜିଲ୍ଲା | Sambad https://ift.tt/3khIyWU