
ବାରିପଦା: ବନ ପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ଘାତକ ସାଜୁଛି ଚଡ଼କ (ବିଜୁଳି)। ସରଳ ନିିରୀହ ଲୋକଙ୍କ ପାଇଁ କାଳ ସାଜିଛି ଏହି ପ୍ରାକୃତିକ ଆପଦା। ୨୦୧୮, ୧୦, ୨୦ ଏବଂ ଚଳିତବର୍ଷର ଆଜି ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ୍ ୧୦୯ ଜଣଙ୍କର ପ୍ରାଣ ନେଇଛି ଏହି ଚଡ଼କ। ୨୦୧୮ରେ ଜିଲ୍ଲାର ୨୬ ବ୍ଲକ୍ରୁ ୩୬ ଜଣଙ୍କର ପ୍ରାଣ ଯାଇଥିଲା। ସେହିପରି ୨୦୯ରେ ୨୬ ଜଣ ବିଜୁଳି ମାରିବା କାରଣରୁ ମୃତ୍ୟୁବରଣ କରିଥିଲେ। ମାତ୍ର କାଳ ସାଜିଥିଲା ୨୦୨୦। ଉକ୍ତ ବର୍ଷ ଜିଲ୍ଲାରୁ ୩୭ ଜଣ ପ୍ରାଣ ନେଇଥିଲା ଇନ୍ଦ୍ରବାଣ।
ଚଳିତବର୍ଷ ଆଜି ସୁଦ୍ଧା ୧୦ଜଣଙ୍କର ଜୀବନହାନୀ ହେଲାଣି। ଚଡ଼କ ମରାରେ ପ୍ରାଣ ଯିବାରେ ଖୁଣ୍ଟା ବ୍ଲକ ବେଶ୍ ସ୍ପର୍ଶକାତର ବ୍ଲକ୍ ହୋଇରହିଛି। ଏହି ବ୍ଲକ୍ରୁ ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ ୧୧ଜଣଙ୍କ ଜୀବନ ଯାଇଛି। ଏହା ତଳକୁ ବେତନଟୀ ବ୍ଲକ୍ରେ ୧୦ ଜଣ, ମୋରଡ଼ା ଓ ସାରସକଣାରୁ ୮ ଜଣ ଲେଖାଏଁ, ଶୁକୃଳିରୁ ୭, ଶ୍ୟାମାଖୁଣ୍ଟା, କୁଳିଅଣା, ଜାମ୍ଦା, କପ୍ତିପଦାରୁ ୬ଜଣ ଲେଖାଏଁ, ଯଶୀପୁର ଓ ଠାକୁରମୁଣ୍ଡାରୁ ୫ ଜଣ ଲେଖାଏଁ, ବାରିପଦା, ବିଜାତଳା, ଶୁଳିଆପଦା, ବହଳଦାରୁ ୩, ବାଙ୍ଗିରିପୋଷି, ରାଇରଙ୍ଗପୁର, କରଞ୍ଜିଆ, ଉଦଳାରୁ ୨, ରରୁଆଁ ଓ ବଡ଼ସାହିରୁ ୪ ଲେଖାଏଁ, ରାସଗୋବିନ୍ଦପୁର, କୁସୁମୀ ଓ ତିରିଂରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଅଥଚ ବିଶୋଇ ଓ ଜିବିନଗର ବ୍ଲକ୍ରୁ ଗତ ୪ ବର୍ଷ ମଧ୍ୟରେ କେହି ହେଲେ ଚଡ଼କରେ ମୃତ୍ୟୁବରଣ କରିନାହାଁନ୍ତି। ଯାହାକି ଉଲ୍ଲେଖନୀୟ ପ୍ରସଙ୍ଗ। ତେବେ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ମୟୂରଭଞ୍ଜ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ହୋଇଥିବାବେଳେ ଚାଷୀ ଭାଇମାନେ ସଚେତନତା ଅଭାବରୁ ବିଲରେ କାମ କଲାବେଳେ ଚଡ଼କରେ ମୃତ୍ୟୁବରଣ କରୁଛନ୍ତି।
ଏପରିସ୍ଥଳେ ବାହାରେ ଥିବାବେଳେ କିପରି ବିଜୁଳି ମାରିଲେ ଏଥିରୁ ବଞ୍ଚିହେବ ଏବଂ କଣକଣ ସାବଧାନତା ଅବଲମ୍ବନ କରାଯାଇପାରିବ, ସେନେଇ ସଚେତନତା ସୃଷ୍ଟି ସମୟର ବଡ଼ ଆହ୍ବାନ। କେବଳ ମୃତ୍ୟୁ ସଂଖ୍ୟା ଦେଖିଦେଲେ ହେବ ନାହିଁ। ଅଧିକାଂଶ କ୍ଷେତ୍ରରେ ଏହି କାରଣରୁ ଶହ ଶହ ଲୋକ ଗୁରୁତର ଆହତ ହେଉଥିବାରୁ ନଜିର ରହିଛି। ଏହାର ଏକ ବଡ଼ ଅଂଶ ସରକାରୀ ଭାବେ ରିପୋର୍ଟ ନହୋଇ ରହିଯାଏ। ଆହତ ବ୍ୟକ୍ତିମାନେ ବେଶ୍ ଦୁଃଖଦ ଜୀବନ ବିତାଇଥାଆନ୍ତି। ତେବେ ଯେଉଁସବୁ ବ୍ଲକ୍ରେ ବିଜୁଳି ମାରିବା କାରଣରୁ ଧନଜୀବନ ହାନି ହେବାର ଅଧିକ ରିପୋର୍ଟ ରହୁଛି, ଉକ୍ତ ସ୍ଥାନଗୁଡ଼ିକରେ ଏନେଇ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଆହୁରି ଅଧିକ ତ୍ବରାନ୍ବିତ କରାଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେପ୍ୟୁଟି କଲେକ୍ଟର ସୁଜୟ କୁମାର ପତି ସୂଚନା ଦେଇଛନ୍ତି।
The post ୪ ବର୍ଷରେ ୧୦୯ ଜଣଙ୍କ ପ୍ରାଣ ନେଲାଣି ଚଡ଼କ, ଖୁଣ୍ଟା ବ୍ଲକ୍ରୁ ଯାଇଛି ସର୍ବାଧିକ ୧୧ ଜୀବନ first appeared on Sambad.from ଜିଲ୍ଲା | Sambad https://ift.tt/37x9sUH
0 Comments