
ପାଟଣା : ମାଟିକାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ। ଏପଟେ ଘରେ ଗୁରୁତର ଅସୁସ୍ଥ ଥିବା ବୃଦ୍ଧା ଜଣଙ୍କ ତିନିଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେଲେ। ଶେଷରେ ଏକ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ ଟାଣି ବାହାର କରାଯିବା ପରେ ରୋଗୀକୁ ସେଥିରେ ଡାକ୍ତରଖାନା ପଠାଯାଇଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମର ରେଙ୍ଗାଳବେଡ଼ା ସାହିରେ।
ପ୍ରାପ୍ତ ସୂଚନା ଅନୁସାରେ, ବାଲିବନ୍ଧ ଗ୍ରାମର ରେଙ୍ଗାଳବେଡ଼ା ସାହିରୁ ଏହି ରାସ୍ତାଟି କେନ୍ଦୁଝର ସଦର ବ୍ଲକ୍କୁ ସଂଯୋଗ କରିଛି। ୨ କିଲୋମିଟର ବିଶିଷ୍ଟ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇଛି। ରାସ୍ତାରେ ଖାଲଖମା ହୋଇ ପାଣିକାଦୁଅ ଭର୍ତ୍ତି ହୋଇଛି। ଫଳରେ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ରବିବାର ଦିନ ବାଲିବନ୍ଧ ଗ୍ରାମର ଦ୍ରୌପଦୀ ପାତ୍ର (୬୫) ହଠାତ୍ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଆମ୍ବୁଲାନ୍ସ ଆସିବାବେଳେ ଗ୍ରାମର ମାଟିକାଦୁଅ ଭର୍ତ୍ତି ରାସ୍ତାରେ ଫସି ଯାଇଥିଲା। ତିନିଘଣ୍ଟା ଧରି ଫସି ରହିବା ପରେ ଗ୍ରାମବାସୀ ଏକ ଟ୍ରାକ୍ଟର ଲଗାଇ ଆମ୍ବୁଲାନ୍ସକୁ ଟାଣି ଉଠାଇଥିଲେ। ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦ୍ରୌପଦୀଙ୍କୁ ସେଥିରେ ଡାକ୍ତରଖାନା ନିଆଯାଇଥିଲା।
ସୂଚନାଯୋଗ୍ୟ, ଏହି ବ୍ଲକ୍ର ବଣମହୁଲଡିହା ଦଲକିସାହିକୁ ଭଲ ରାସ୍ତା ନଥିବାରୁ କିଛିଦିନ ତଳେ ଜନନୀ ଏକ୍ସପ୍ରେସ୍ ଅଧାବାଟରେ ଅଟକି ଯାଇଥିଲା। ୨ କିଲୋମିଟର ଖାଲଖମା ରାସ୍ତାରେ ଗର୍ଭବତୀଙ୍କୁ ଚଲେଇ ଚଲେଇ ଅଣାଯିବା ପରେ ଜନନୀ ଏକ୍ସପ୍ରେସ୍ରେ ଡାକ୍ତରଖାନା ନିଆଯାଇଥିଲା। ଗ୍ରାମାଞ୍ଚଳରେ ରାସ୍ତାଘାଟର ଉନ୍ନତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପାଟଣା ବ୍ଲକ୍ର ବିଭିନ୍ନ ଗ୍ରାମକୁ ଏଯାଏ ଭଲ ରାସ୍ତା ହୋଇନଥିବାରୁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
The post ୩ ଘଣ୍ଟା ଫସିଲା ଆମ୍ବୁଲାନ୍ସ, ଟ୍ରାକ୍ଟର ଟାଣି ଉଠାଇଲା first appeared on Sambad.from ଜିଲ୍ଲା | Sambad https://ift.tt/3lhMWHt
0 Comments