ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ କରୋନା ମହାମାରୀକୁ ନେଇ ସଙ୍କଟ ଟଳି ନାହିଁ । ବର୍ତ୍ତମାନ ସଂକ୍ରମଣ ଗ୍ରାଫ ଦୁଇ ଅଙ୍କକୁ ଖସି ଆସିଛି । ତୃତୀୟ ଲହରକୁ ନେଇ ଶଙ୍କା ଓ ଆଶଙ୍କା ସୃଷ୍ଟି ହୋଇଥିବା ସମୟରେ ଜିଲ୍ଲାରେ କରୋନା ମାର୍ଗଦର୍ଶୀକାକୁ ଅମାନିଆମାନେ ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଛନ୍ତି । ଏମାନଙ୍କୁ ଠିକଣା ବାଟକୁ ଆଣିବା ନିମନ୍ତେ ପୁଲିସ ପ୍ରଶାସନ ନିଜର ଆଭିମୁଖ୍ୟକୁ କଠୋର କରିବାକୁ ପଡ଼ିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ଗତ ଜୁଲାଇ ମାସର ୩୧ ଦିନରେ ୭,୪୯୭ ଜଣ ଅମାନିଆମାନଙ୍କ ନିକଟରୁ ମାସ୍କ ପିନ୍ଧିନଥିବା ଅଭିଯୋଗରେ  ୨୯ ଲକ୍ଷ ୧୪ ହଜାର  ୭ଶହ ୫୯ ଟଙ୍କା ଜରିମାନା ଆଦାୟ କରାଯାଇଛି ।

 

ହିପରି ଗତ ଜୁଲାଇ ମାସର  ୩୧ ଦିନରେ ଜିଲ୍ଲାରୁ ମୋଟ ୪୯ ଲକ୍ଷ ୯୧ ହଜାର ୨ଶହ ୫୦ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି ଏବଂ ଜୁଲାଇ ମାସର ୨ ତାରିଖରେ ସର୍ବାଧିକ ୨ ଲକ୍ଷ ୯୯ ହଜାର ୯ ଶହ ଟଙ୍କା ଏବଂ ୨୧ରେ ସର୍ବନିମ୍ନ  ୬୬ ହଜାର ୯ ଶହ ଟଙ୍କା ଜରିମାନା  ଆଦାୟ ହୋଇଛି । ଏଥି ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ହୋଇଥିବା  ଚଢ଼ାଉ ସମୟରେ ୧୦୨୯.୫ ଲିଟର ଦେଶୀ ଓ ୧୯୫.୩୫୫ ଲିଟର ବିଦେଶୀ ଚୋରା ମଦକୁ ଜବତ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ ଜୁନ ମାସରେ  ୮,୩୨୩ ଜଣ ଅମାନିଆମାନଙ୍କ ନିକଟରୁ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୩୬ ଲକ୍ଷ ୧୬ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା ।

ସେହିପରି ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଜିଲ୍ଲାରେ ୧,୮୬୬ ଜଣ ବ୍ୟବସାୟୀ(ଦୋକାନୀ) ମାନଙ୍କଠାରୁ ୭ ଲକ୍ଷ ୩୧ ହଜାର ୪୫୦ ଶହ ଟଙ୍କା ଏବଂ କରୋନା ମାର୍ଗଦର୍ଶୀକାକୁ ଅଣଦେଖା ପ୍ରଦର୍ଶନ ପୂର୍ବକ ବିଭାଘର ଆୟୋଜନ ଅଭିଯୋଗରେ ୪ ଜଣଙ୍କ ନିକଟରୁ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ ସମୟରେ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୩ ଲକ୍ଷ ୧୨ ହଜାର ୯୫୦ ଟଙ୍କା ଜରିମାନା ଆଦାୟ ସହ ୫୭୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ କରାଯାଇଥିଲା ।
ଏହିପରି ଗତ ଜୁନ ମାସରେ ଜିଲ୍ଲାରୁ ମୋଟ ୬୬ ଲକ୍ଷ ୬୮ ହଜାର ୪ ଶହ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଥିଲା । ପ୍ରତ୍ୟେକ ଦିନ ଚାଲାଣ ଭରୁଥିଲେ ମଧ୍ୟ ଜିଲ୍ଲାରେ ଅମାନିଆଁମାନେ ସୁଧୁରିବାର ନାଁ ଧରୁନଥିବାର ପରିଲକ୍ଷିତ ହୋଇଛି ।
The post ଜୁଲାଇ ମାସରେ ଅଧକୋଟି ଗଣିଲେ ଅମାନିଆ, ୪୯.୯୧ ଲକ୍ଷ ଟଙ୍କା ଜରିମାନା ଆଦାୟ first appeared on Sambad.

from ଜିଲ୍ଲା | Sambad https://ift.tt/3ljd84B