
ଜଳେଶ୍ବର: ମୃତଦେହ ଉଦ୍ଧାର ହେବାର ୫ ଘଣ୍ଟା ପରେ ବ୍ୟବଚ୍ଛେଦ ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ମୃତକଙ୍କ ସ୍ବାମୀ ଏକ ଟ୍ରଲି ରିକ୍ସାରେ ପତ୍ନୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାଳିକୋଠା ଗାଁରେ। ସୂଚନା ଅନୁସାରେ ଗତ ୩ ଦିନ ଧରି ଶାଳିକୋଠା ଗାଁ ଦିଗଜୁଡ଼ି ସାହିର ପୂର୍ଣ୍ଣ ସିଂଙ୍କ ପତ୍ନୀ ବାସନ୍ତୀ ସିଂ (୩୨) ନିଖୋଜ ଥିଲେ।
ଗତକାଲି ଅପରାହ୍ନରେ ନିମପୁର-କପାସିଆ ରାସ୍ତାକଡ଼ ଏକ ନୟନଯୋଡ଼ିରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ପରିବାର ଲୋକ ବି ପହଞ୍ଚିଥିଲେ। ମୃତଦେହ ଉଦ୍ଧାର ହେବାର ୫ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରୟାଣ ଗାଡ଼ି, ଆମ୍ବୁଲାନ୍ସକୁ ସମସ୍ତେ ଅପେକ୍ଷା କରିଥିଲେ। ତେବେ ଗାଡ଼ି ନ ଆସିବା ଦେଖି ଶବକୁ ବ୍ୟବଚ୍ଛେଦ ପାଇଁ ଜଳେଶ୍ବର ଜିକେ ଭଟ୍ଟର ଡାକ୍ତରଖାନା ନେଇଯିବାକୁ କହି ପୁଲିସ ସେଠାରୁ ପଳାଇ ଆସିଥିଲା। ଶେଷରେ ସ୍ବାମୀ ପୂର୍ଣ୍ଣ ସିଂ ଏକ ଟ୍ରଲି ରିକ୍ସାରେ ପତ୍ନୀଙ୍କ ମୃତଦେହ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ମୃତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା ରହିଥିଲେ ବି ଶବକୁ ଏଭଳି ଅସମ୍ମାନ କରାଯିବା ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।
The post ଶବକୁ ସମ୍ମାନ ଏମିତି; ପତ୍ନୀଙ୍କ ମୃତଦେହକୁ ଟ୍ରଲିରେ ବୋହିଲେ ସ୍ବାମୀ first appeared on Sambad.from ଜିଲ୍ଲା | Sambad https://ift.tt/3C6uGqL
0 Comments