
କଟକ: ଡେଙ୍ଗୁ ନାଁ ଶୁଣାଗଲେ ପ୍ରଥମେ ଜଗତପୁର ଶିଳ୍ପାଞ୍ଚଳର ଛବି ମନରେ ଆସିଯାଏ। ୨୦୧୬ ମସିହାରେ ଡେଙ୍ଗୁର ପ୍ରାଦୁର୍ଭାବ ଏଠି ପ୍ରଶାସନର ମୁଖା ଖୋଲି ଦେଇଥିଲା। ଶିଳ୍ପାଞ୍ଚଳର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ଇଡ୍କୋ ଓ ସିଏମ୍ସି ଭିତରେ ଦୋଷ ଲଦାଲଦି ଚାଲିଥିଲା। ଶେଷରେ ଇଡ୍କୋ ଅଞ୍ଚଳରେ ସିଏମ୍ସି ପକ୍ଷରୁ ସଫେଇ, ମଶାତେଲ ଛିଞ୍ଚନ ଇତ୍ୟାଦି କରାଗଲା। ଏହାପରଠୁ ପ୍ରତ୍ୟେକ ବର୍ଷ ଡେଙ୍ଗୁ ପ୍ରାଦୁର୍ଭାବ ସମୟରେ ସିଏମ୍ସି ପକ୍ଷରୁ କିଛି ନା କିଛି କାର୍ଯ୍ୟ କରାଯାଇଆସୁଛି। ହେଲେ ଆଜି ପର୍ଯ୍ୟନ୍ତ ସ୍ଥିତି ସୁଧୁରିପାରିଲାନି। ପୋତି ହୋଇଯାଇଥିବା ଡ୍ରେନ୍ ଖୋଳା ହେଲାନି କି ବନ୍ଦ ହୋଇରହିଥିବା ଶିଳ୍ପ ସ˚ସ୍ଥାର କୌଣସି ସ୍ଥାୟୀ ସମାଧାନ ବାହାରିପାରିଲାନି। ଯାହାଫଳରେ ଏସବୁ ସ୍ଥାନରେ ମଶା ବ˚ଶ ବୃଦ୍ଧି ପାଇଁ ବାଟ ଖୋଲା ରହିଛି। ଇଡ୍କୋ ପକ୍ଷରୁ ଶିଳ୍ପାଞ୍ଚଳମାନଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣ ଟିକସ ଆକାରରେ ଆଦାୟ ହେଉଛି। କିନ୍ତୁ ଡ୍ରେନ୍ ମରାମତି ହୋଇପାରୁନି। ବର୍ଷା ଜଳ ନିଷ୍କାସନ ହୋଇନପାରି ଜମି ରହିବାରୁ ଡେଙ୍ଗୁ ଆଶଙ୍କା ବଢିଯାଉଛି। କେବଳ ଏତିକି ନୁହେଁ, ବନ୍ଦ ରହିଥିବା ଶିଳ୍ପ ସ˚ସ୍ଥାଗୁଡ଼ିକ ପ୍ରତି ପ୍ରଶାସନ କୌଣସି ସ୍ଥାୟୀ ପ୍ରତିକାର କରିପାରୁନାହିଁ। ଯେଉଁଥିପାଇଁ ଏହି ଶିଳ୍ପସ˚ସ୍ଥା ଭିତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅବ୍ୟବହୃତ ସାମଗ୍ରୀରେ ବର୍ଷା ପାଣି ଜମି ରହୁଛି।
ଏହାବାଦ୍ ଶିଳ୍ପାଞ୍ଚଳ ପାର୍ଶ୍ବ ଓ ମଧ୍ୟବର୍ତ୍ତୀ ସ୍ଥାନରେ ଗଢି ଉଠିଥିବା ବସ୍ତିମାନଙ୍କରେ ସଚେତନତା ଅଭାବ ଯୋଗୁଁ ପରିମଳ ବ୍ୟବସ୍ଥା ବିଗିଡ଼ିଯାଇଥିବା କୁହାଯାଉଛି। ରାସ୍ତାପାର୍ଶ୍ବରେ ବେଆଇନ୍ ଭାବେ ଖୋଲିଥିବା ହୋଟେଲ ଓ ଦୋକାନଗୁଡ଼ିକରୁ ବାହାରୁଥିବା ଆବର୍ଜନା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। କେବଳ ଡେଙ୍ଗୁ ନୁହେଁ, ଅନ୍ୟାନ୍ୟ ସ˚କ୍ରାମକ ରୋଗ ଏହିସବୁ ସ୍ଥାନମାନଙ୍କରୁ ଉତ୍ପତ୍ତି ହେଉଛି। ଇଡ୍କୋ କୌଣସି ପଦକ୍ଷେପ ନେଉ ନଥିବାରୁ ଶିଳ୍ପ ସ˚ସ୍ଥାମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।
ଫେଜ୍-୨ ଲେନ୍ ମଧ୍ୟରେ ଥିବା ଗୌରୀଶ୍ୟାମ ଇଲେକ୍ଟ୍ରିକାଲ ଏବ˚ ଓମନି ଫାର୍ମାସିଟିକାଲ ସାମ୍ନାରେ ଦୀର୍ଘଦିନଧରି ଡ୍ରେନ୍ ପୋତି ହୋଇଯାଇଛି। ଫଳରେ ବର୍ଜ୍ୟ ପାଣି ନିଷ୍କାସିତ ହୋଇନପାରି ଜମି ରହୁଛି। ଅସ୍ବାସ୍ଥ୍ୟକର ପରିବେଶ ହେଉଥିବାରୁ ସ୍ଥାନୀୟ ଶିଳ୍ପ ସ˚ସ୍ଥାମାନେ ଇଡ୍କୋ ଡିଭିଜନ୍ ମୁଖ୍ୟଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ଇଡ୍କୋ କତ୍ତୃର୍ପକ୍ଷ ଡ୍ରେନେଜ ବ୍ୟବସ୍ଥା ନକରି କାମଚଳା ଭିତ୍ତିରେ ରାସ୍ତାକୁ ଖୋଳି ଦେଇଛନ୍ତି। ରାସ୍ତା ଖୋଳି ଏକ ଅସ୍ଥାୟୀ ଡ୍ରେନ୍ କରାଯାଇ ବର୍ଜ୍ୟ ପାଣିକୁ ସେହି ବାଟ ଦେଇ ଛଡ଼ାଯାଉଛି। ରାସ୍ତା ଉପରେ ଏପରି ଗାତ ଖୋଳି ଡ୍ରେନ୍ କରାଯାଇଥିବାରୁ ଏହି ବାଟ ଦେଇ ଯାତାୟତରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି।
from ଜିଲ୍ଲା | Sambad https://ift.tt/3jmoCmn
0 Comments