
ଦେବଗଡ଼: ଦେବଗଡ଼ ବିଏସ୍ଏନଏଲ କାର୍ଯ୍ୟାଳୟ ପକ୍ଷରୁ ବକେୟା ବିଦ୍ୟୁତ୍ ବିଲ ପୈଠ କରି ନଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ଗୁରୁବାରଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଗତ ଗୁରୁବାର ସନ୍ଧ୍ୟା ୬ ଟା ପରଠାରୁ ଦେବଗଡ଼ ଜିଲ୍ଲାରେ ବିଏସ୍ଏନ୍ଏଲ୍ ସେବା ସମ୍ପୂର୍ଣ୍ଣ ଠପ ରହିଥିଲା। ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ହୋଇଯାଇଥିଲା।
ବିଦ୍ୟୁତ୍ ଦେୟ ପୈଠ କରିବା ପରେ ପ୍ରାୟ ୧୭ ଘଣ୍ଟା ପରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ବିଏସ୍ଏନ୍ଏଲ୍ ସେବା ସ୍ବାଭାବିକ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ବିଏସ୍ଏନଏଲ୍ କାର୍ଯ୍ୟାଳୟର ୯ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ ବାକି ରହିଥିଲା। ଫଳରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ପକ୍ଷରୁ ଗତକାଲି ସକାଳୁ ବିଏସ୍ଏନ୍ଏଲ୍ର ବିଦ୍ୟୁତ ସାଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ରାତିରେ ବିଭାଗ ପକ୍ଷରୁ ଟଙ୍କା ଜମା କରିବା ପରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲେ ମଧ୍ୟ ବିଏସ୍ଏନ୍ଏଲ୍ର ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ ଖରାପ ହୋଇଯିବା କାରଣରୁ ମରାମତି ପରେ ପୂର୍ବାହ୍ନ ୧୧ଟା ୩୦ ପରେ ସେବା ସ୍ବାଭାବିକ ହୋଇଥିଲା। ଏନେଇ ବିଏସ୍ଏନ୍ଏଲ୍ର ଏସଡିଓ କଲ୍ୟାଣ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ବିଭାଗର ବକେୟା ବିଲ୍ ଥିଲ, ତେବେ ବିନା ନୋଟିସ୍ରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସଂଯୋଗ ବିଚ୍ଛିନ୍ନ କରିବାରୁ ସେବା ଠପ ହୋଇଯାଇଥିଲା ବୋଲି ସେ କହିଥିଲେ।
The post ବିଦ୍ୟୁତ୍ ବିଲ୍ ବାକି: ବିଏସ୍ଏନଏଲ୍କୁ ବିଦ୍ୟୁତ୍ ଯୋଗାଣ ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3sUgnkD
0 Comments