ଘଟଗାଁ : ଘଟଗାଁ ବ୍ଲକ ଅଫିସ ଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା କେନ୍ଦୁଆପଡା ଗ୍ରାମର ଦଲୁ ମହାନ୍ତ ଓରଫ ମାନସ ମହାନ୍ତଙ୍କର ମା’ଙ୍କ ଶୁଦ୍ଧିକ୍ରିୟାର ମାତ୍ର ଦୁୁଇଦିନ ପରେ ମୃତ୍ୟୁ ଘଟିଛି।

ରୋଜଗାରିଆ ବାପା ଅର୍ଜୁନ ମହାନ୍ତଙ୍କ ମୃତ୍ୟୁ ପରେ ପୁଅ ମୂଲମଜୁରି କରି ଚଳୁଥିବା ବେଳେ ମା’ ଖଲିପତ୍ର ସିଲାଇ କରି କିଛି ରୋଜଗାର କରି ପରିବାର ଚଳାଉଥିଲେ। ଦଲୁ ନିକଟସ୍ଥ ତାରିଣୀ ମନ୍ଦିରରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ମାତ୍ର କରୋନା ପାଇଁ ଗତବର୍ଷରୁ ମନ୍ଦିର ବନ୍ଦ ଥିବାରୁ ବାହାରେ କାମ ଧନ୍ଦା ମିଳୁନଥିଲା।। ଦୁଃଖ କଷ୍ଟରେ ଢୋକେ ପିଇ ଦଣ୍ଡେ ଜିଇରେ ଦିନ କାଟୁଥିଲେ। ରୋଜଗାରିଆ ପୁଅ ଦଲୁର ଦେହ ଖରାପ ହେଲା। ତାକୁ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପୁଅ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମା’ ସାରଥି ମହାନ୍ତ ମାନସିକ ଭାରସାମ୍ୟ ହରାଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ୨୦ ଜୁଲାଇରେ ମା’ ଙ୍କର ମୃତ୍ୟୁ ଘଟିଥିଲା। ସେ ସମୟରେ ପୁଅ ଦଲୁ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲା। ଘରକୁ ଫେରି ମାଗିଯାଚି ମାଆର ଶୁଦ୍ଧିକ୍ରିୟା କରିଥିଲା।

ଶୁଦ୍ଧିକ୍ରିୟା ସାରିବାର ଦୁଇଦିନ ପରେ ଦଲୁଙ୍କର ମାତ୍ର ୨୭ ବର୍ଷ ବୟସରେ ପରଲୋକ ଘଟିଲା। ଘରେ ଏବେ ଦିଲୁର ବିଧବା ସ୍ତ୍ରୀ ରୁନୁ ମହାନ୍ତ(୨୩) ଏବଂ ୭ ମାସର ଶିଶୁକନ୍ୟା ଅନନ୍ୟା ମହାନ୍ତ। ରୋଜଗାରିଆ ଶଶୁର, ସ୍ବାମୀ ଏବଂ ଶାଶୂଙ୍କୁ ହରାଇ ଏବେ ବେସାହାରା ହୋଇପଡ଼ିଛି ରୁନୁ। ପାଖରେ ଅର୍ଥ ନାହିଁ। କେମିତି ସ୍ବାମୀଙ୍କ ଶୁଦ୍ଧିକ୍ରିୟା କରିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସେପଟେ ଛୁଆର ପ୍ରତିପାଳନ ଚିନ୍ତା ବି ଘାରିଛି। ଏପରି ସ୍ଥିତିରେ ଶୁଦ୍ଧିକ୍ରିୟା କରିବାକୁ ସାହିପଡ଼ିଶା ଆଗେଇ ଆସିଛନ୍ତି। ସାହାଯ୍ୟର ହାତ ବଢ଼ାଇଛନ୍ତି। ତୁରନ୍ତ ରୁନୁଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

The post ମାଆର ଶୁଦ୍ଧିକ୍ରିୟା ପରେ ଏକମାତ୍ର ପୁଅର ଅକାଳମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3s2v2Ks