ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ, ଛତିଶଗଡ ସୀମାକୁ ଲିଗା ରହିଥିବା ମହୁପଦର, କମାରପାଲୀ, ବୁରୁଦି, କୋରାପୁଟ ସୀମାକୁ ଲାଗି ରହିଥିବା ସପ୍ତଧାରା ଇତ୍ୟାଦି ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ମାଓ ସଂଗଠନ ଆଦିବାସୀ ମାନଙ୍କୁ ଶୋଷଣ ଏବଂ ହତ୍ୟା କରୁଥିବା ନେଇ ଉଲ୍ଲେଖ କରାଯାଇଛି। ମାଲକାନଗିରିର ସ୍ବାଭିମାନ ଅଂଚଳରେ ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି ନକ୍ସଲ ତାକୁ ବିରୋଧ କରୁଛି। ମାଓବାଦୀ ମାନେ ଆଦିବାସୀଙ୍କ ପାଇଁ ଲଢେଇ କରୁଥିବା କହୁଥିବା ବେଳେ ତାଙ୍କ ପାଇଁ ନିର୍ମାଣ ହେଉଥିବା ରାସ୍ତାକୁ ବିରୋଧ କରୁଛନ୍ତି।

Sambad

ତେଲୁଗୁ ଅଣଆଦିବାସୀ ମାଓ ନେତା ଓ ନେତ୍ରୀମାନେ ନିଜନିଜ ମଧ୍ୟରେ ମାଡଗୋଳ ଲାଗୁଛନ୍ତି। ଯାହାର ଫଳସ୍ବରୂପ ମାଓ ସଂଗଠନରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଭାଇମାନେ କାମ କରୁଥିବା ବେଳେ ସେମାନଙ୍କ ଉପରେ ଦାଉ ସଧାଯାଉଛି। ଅଣଆଦିବାସୀ ମାଓବାଦୀମାନେ ଆମ ଓଡିଆ ଆଦିବାସୀ ମାନଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି। ଯେଉଁଥିପାଇଁ ଆଜି ଓଡିଆ ମାଓବାଦୀମାନେ ବାଧ୍ୟ ହୋଇ ମାଓ ସଂଗଠନ ଛାଡୁଛନ୍ତି। ଏବେ ଯେତିକି ଓଡିଆ ଆଦିବାସୀ ଭାଇଭଉଣୀମାନେ ସଂଗଠନରେ କାର୍ଯ୍ୟ କରୁଛନ୍ତି ସେମାନେ ସଂଗଠନ ଛାଡି ଆସିବାକୁ ଚାହୁଁଥିଲେ ମଧ୍ୟ ତେଲୁଗୁ ମାଓବାଦୀ ମାନେ ସେମାନଙ୍କୁ ମାଓ ସଂଗଠନରେ ରହିବାକୁ ବାଧ୍ୟ କରୁଛନ୍ତି। ନଚେତ ହତ୍ୟା କରିବାର ଧମକ ମଧ୍ୟ ଦେଉଛନ୍ତି।

Sambad

ଏହି ପୋଷ୍ଟର ମାରିଥିବା ଓଡିଶା ଆଦିବାସୀ ଅଧିକାର ମଞ୍ଚ ଅନୁରୋଧ କରିଛି ଯେ ଯେଉଁ ଓଡିଆ ଭାଇମାନେ ମାଓ ସଂଗଠନରେ କାମ କରୁଛନ୍ତି ସେମାନେ ତୁରନ୍ତ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ଆଦିବାସୀ ମାନଙ୍କୁ ମାଓବାଦୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ମାନବାଧିକାର ସଂଗଠନ ଗୁଡିକ ଆଗକୁ ଆସିବାକୁ ମଞ୍ଚ ଅନୁରୋଧ ମଧ୍ୟ କରିଛି। ତେବେ ଜିଲ୍ଲାର ବିଭିନ୍ନ ନକ୍ସଲ ପ୍ରବଣ ଅଂଚଳରେ ଏହି ପୋଷ୍ଟର ମରାଯାଇଥିବାରୁ ନିଶ୍ଚିତ ଭାବେ ଓଡିଆ ଆଦିବାସୀ ମାଓବାଦୀଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଇଛି। ନକ୍ସଲଙ୍କର ଆଦିବାସୀ ପ୍ରୀତିକୁ ନେଇ ଯେଉଁ ମିଥ୍ୟା ଖେଳ ଖେଳୁଛି ତାହାର ପର୍ଦ୍ଦାଫାସ କରିଛି ଓଡିଶା ଆଦିବାସୀ ଅଧିକାର ମଞ୍ଚ।

The post ମାଲକାନଗିରିରେ ମାଓ ବିରୋଧୀ ପୋଷ୍ଟର: ଆଦିବାସୀଙ୍କୁ ଶୋଷଣ ଓ ହତ୍ୟା କରୁଛି ମାଓ ସଂଗଠନ-ଆଦିବାସୀ ଅଧିକାର ମଞ୍ଚ first appeared on Sambad.

from ଜିଲ୍ଲା | Sambad https://ift.tt/3iWa1Oj