ସୁନ୍ଦରଗଡ଼: ଟାଙ୍ଗରପାଲି ବ୍ଲକ୍ ରେମଣ୍ଡା ଗାଁର ବଳରାମ ମଗର। ପାଲା ଗାୟକ ଭାବେ ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି। ପାଇଛନ୍ତି ଅନେକ ମାନପତ୍ର, ସମ୍ମାନ। କିନ୍ତୁ ସେସବୁ ଭୋକ, ରୋଗ ବେଳାରେ କିଛି କାମରେ ଆସୁନି। ଏବେ ବଳରାମ ଯକୃତ, ଫୁସଫୁସ ଓ ମସ୍ତିଷ୍କ ରୋଗରେ ଶଯ୍ୟାଶାୟୀ। ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା, ଘରେ ଖଟରେ ପଡ଼ି ମରଣକୁ ଅପେକ୍ଷା କରିଛନ୍ତି ଯାହା। ସରକାର, ପ୍ରଶାସନର କଳାକାରଙ୍କୁ ସମ୍ମାନ ବଳରାମଙ୍କ ପାଇଁ ଉପହାସ ପାଲଟିଛି। ଏତେ ଏତେ ଯୋଜନା ମଧ୍ୟରେ ତାଙ୍କ ଚିକିତ୍ସା ହୋଇ ନପାରିବା ବିଡମ୍ବନା ନିଶ୍ଚୟ।

ରେମଣ୍ଡାର ଏକ ଭଙ୍ଗା ଖପର ଘରେ ରହୁଥିବା ବଳରାମ ବହୁ ବର୍ଷ ଧରି ସେ ପାଲା ଗାୟନ ମାଧ୍ୟମରେ ନିଜ ଭାଷା ଓ ସଂସ୍କୃତିର ପ୍ରଚାର କରି ଆସୁଥିଲେ। ଏପରିକି ମହାମାରୀ କରୋନା ସମୟରେ ସରକାରଙ୍କ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇ ଗାଁ ଗାଁ ବୁଲି ପ୍ରଚାର କରିଥିଲେ। ଏହା ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ମଙ୍ଗସପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାକଙ୍କୁ ଭର୍ତ୍ତି କରିଥିଲେ ପରିବାର, ସେଠାରୁ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମାରାତ୍ମକ ଯକୃତ ଓ ଫୁସଫୁସ୍ ସଂକ୍ରମଣରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। କିନ୍ତୁ ସେଠାରେ ଠିକ୍ ଚିକିତ୍ସା ନମିଳିବାରୁ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ତାଙ୍କୁ ବରଗଡ଼ ବିକାଶକୁ ନିଆଯାଇଥିଲା। ସେଠାରେ ସାମାନ୍ୟ ସୁସ୍ଥ ହେବା ପରେ ଘରକୁ ଫେରି ଆସିଥିଲେ। ଏବେ ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। କିନ୍ତୁ ଅର୍ଥ ନଥିବାରୁ ଆଉ ଡାକ୍ତରଖାନା ନେବାକୁ ସାହସ ଜୁଟାଇ ପାରୁନାହାନ୍ତି ପରିବାର ଲୋକେ। ଏସ୍ଥିତିରେ ସେ ଘରେ ମରଣକୁ ଦିନ ଗଣୁଛନ୍ତି ବୋଲି କୁହାଯାଇପାରେ।

ଆଜି ଏ ସୂଚନା ପାଇବା ପରେ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ରେମଣ୍ଡା ଯାଇ ୩୫ ବର୍ଷର ଦିବ୍ୟାଙ୍ଗ ଝିଅ ସହ ରହୁଥିବା କଳାକାର ବଳାରାମଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ସହ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ରଙ୍କୁ ଫୋନ୍ କରି ଚିକିତ୍ସା ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ। ଡ. ମିଶ୍ର ବଳରାମଙ୍କ ଚିକିତ୍ସା ମଙ୍ଗଳବାର ଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହିକ୍ରମରେ ଡ. ଷଡ଼ଙ୍ଗୀଙ୍କ ଅନୁରୋଧକ୍ରମେଦ ଟାଙ୍ଗରପାଲି ବ୍ଲକ ଅଧିକାରୀ ବଳରାମଙ୍କ ୩୫ ବର୍ଷର ଦିବ୍ୟାଙ୍ଗ ଝିଅକୁ ଭତ୍ତା ଓ ଅନ୍ୟ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

The post ପାଲା ଗାୟକ ବଳରାମ ଶଯ୍ୟାଶାୟୀ, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା first appeared on Sambad.

from ଜିଲ୍ଲା | Sambad https://ift.tt/2WxT5W8