
ରାଉରକେଲା: ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)। ବିଭାଗର ପ୍ରାୟ ପ୍ରତ୍ୟେକ କାମରେ ଦୁର୍ନୀତିର ଅଭିଯୋଗ। ପିଡବ୍ଲ୍ୟୁଡି କୋଡ୍ ଅନୁଯାୟୀ ୫ ଲକ୍ଷ ଟଙ୍କାରୁ ଅଧିକ ପ୍ରତ୍ୟେକ କାମ ପାଇଁ ଟେଣ୍ଡର ବାଧ୍ୟତାମୂଳକ। କିନ୍ତୁ ପାନପାଷ ଆଇଟିଡିଏରେ ଏଥିରେ ବହୁ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଟେଣ୍ଡର ଏଡ଼ାଇବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇ କୋଟି କୋଟିର କାମକୁ ବିଭାଗୀୟ ନାଁରେ ଭାଗ ଭାଗ କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଉଛି।
ନିକଟରେ ‘ ମୋ ସ୍କୁଲ ଅଭିଯାନ’ ରେ ୧୦ଟି ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ୩ କୋଟି ୭୧ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଛି। ସ୍କୁଲ୍ ପିଛା ୩୦ଲକ୍ଷରୁ ଆରମ୍ଭ କରି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଉଛି। ତେବେ, ଆଇନକୁ ଆଖିଠାର ମାରି କାମର ଖୋଲା-ଇ ଟେଣ୍ଡର କରାଯାଇ ନାହିଁ। ଡିପାର୍ଟମେଣ୍ଟାଲ କାମ ନାଁରେ ପ୍ରତ୍ୟେକ ସ୍କୁଲକୁ ୪ ଜଣ କରି ୧୦ଟି ସ୍କୁଲକୁ ପ୍ରାୟ ୪୦ ଠିକାଦାରଙ୍କୁ ବାଣ୍ଟି ଦିଆଯାଇଛି। ପ୍ରତିବର୍ଷ ସେବାଶ୍ରମ ସ୍କୁଲ, ଆବାସିକ ସ୍କୁଲ ଓ ଆଦିବାସୀ ହଷ୍ଟେଲର ମରାମତି ସମେତ ଅନ୍ୟାନ୍ୟ କାମ ବାବଦରେ କୋଟି କୋଟି ଟଙ୍କା ଆସୁଛି। ପ୍ରାୟ ସବୁଥିରେ ଟେଣ୍ଡର ନ କରି ଡିପାର୍ଟମେଣ୍ଟାଲ କାମ ନାଁରେ ତାହାକୁ ନିଜ ଚିହ୍ନା ପରିଚିତ ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଉଛି। ୨୦୨୦ରୁ ୨୦୨୧ ଜୁନ୍ ମାସ ପର୍ଯ୍ୟନ୍ତ କୁଆରମୁଣ୍ଡା, ଲାଠିକଟା, ନୂଆଗାଁ ଓ ବିଶ୍ରା ବ୍ଲକରେ ମରାମତି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ବିଭାଗ ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି।
ପ୍ରତିବର୍ଷ ଏଭଳି ନିୟମ ଭଙ୍ଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। ଦୁର୍ନୀତିର ଚେର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ଲମ୍ବିଥିବାରୁ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବର୍ତ୍ତେ ଏଭଳି ବେଆଇନ କାମ କରିବାକୁ ପରୋକ୍ଷରେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ପାନପୋଷ ଆଇଟିଡିଏରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ବିଭାଗକୁ ବିଭିନ୍ନ କାମ ବାବଦରେ ଖର୍ଚ୍ଚ ପାଇଁ ମୋଟ୍ ୫ କୋଟି ୧୮ ଲକ୍ଷ ୪ ହଜାର ୫୦୦ ଟଙ୍କା ଆସିଛି। ଏଥି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ନନ୍-ପ୍ଲାନ୍ ପାଣ୍ଠିରୁ ୫୦ ଲକ୍ଷ, ଦ୍ବିତୀୟ ପର୍ଯ୍ୟାୟରେ ୩ କୋଟି ୯୮ ଲକ୍ଷ ୫ ହଜାର ୫୦୦ ଟଙ୍କା, ସାଂସଦ ପାଣ୍ଠିରୁ ପ୍ରାୟ ୭୦ ଲକ୍ଷ ରହିଛି। ୨୦୨୧ ଜୁନ୍ ସୁଦ୍ଧା ୪ କୋଟି ୧୦ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଛି। ମୋଟ୍ ୮୭ଟି କାମକୁ ଦୁଇ ଯନ୍ତ୍ରୀ ହିମାଂଶୁ ପଣ୍ଡା ଓ ଲାଲମୋହନ ହେମ୍ବ୍ରମ୍ଙ୍କ ନାଁରେ ବାଣ୍ଟି ଦିଆଯାଇଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ କୁଆରମୁଣ୍ଡା, ବିଶ୍ରା, ନୂଆଗାଁ ଓ ଲାଠିକଟାରେ ୫୧ଟି କାମ ପାଇଁ ମୋଟ୍ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଟେଣ୍ଡର ଏଡାଇବାକୁ ପ୍ରତ୍ୟେକ କାମକୁ ୨ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଇଛି।
ଏଥିମଧ୍ୟରୁ କିଛି କାମ ଶେଷ ହୋଇଥିଲାବେଳେ ଅନ୍ୟ କିଛି କାମ ଜାରି ରହିଛି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ସତ ହେଉଛି ଯେ ଅଧିକାଂଶ ଜାଗାରେ ଏଯାଏଁ କାମ ଆରମ୍ଭ ହୋଇ ନାହିଁ। ବିଶ୍ରା ଓ ଲାଠିକଟା ବ୍ଲକର ଆଦବାସୀ ସ୍କୁଲର ୧୮ଟି ନଳକୂପ ଖନନ ବାବଦରେ ଖର୍ଚ୍ଚ ହେଉଛି ୯୦ ଲକ୍ଷ। ଅର୍ଥାତ୍ ପ୍ରତ୍ୟେକ ନଳକୂପ ବାବଦରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଯେଉଁଠି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଗୋଟିଏ ନଳକୂପ ବସାଇବା ବାବଦରେ ଅଢ଼େଇ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି, ତାହାକୁ ଆଇଟିଡିଏ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପଛରେ କି ଉଦ୍ଦେଶ୍ୟ ରହିଛି, ତାହା ତଦନ୍ତ ସାପେକ୍ଷ। ସେମିତି ନୂଆଗାଁ, କୁଆରମୁଣ୍ଡା, ବିଶ୍ରା ଓ ଲାଠିକଟାର ସ୍କୁଲର ୨୯ଟି ଶୌଚାଳୟ ମରାମତି ବାବଦରେ ୧ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଏଠି ମଧ୍ୟ ପୂର୍ବ ପରି ସମାନପନ୍ଥା ଆପଣା ଯାଇଛି। ଡିପାର୍ଟମେଣ୍ଟାଲ କାମ ନାଁରେ ପ୍ରତ୍ୟେକ କାମକୁ ୧ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷରେ ଭାଗ ଭାଗ କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଇଛି। ଉଲ୍ଲେଖନୀୟ କଥା ହେଉଛି, ପ୍ରତିବର୍ଷ ଏଭଳି ମରାମତି ନାଁରେ ଆସୁଥିବା କୋଟି କୋଟି ଟଙ୍କା ଠିକ୍ ଭାବେ ବିନିଯୋଗ ହେଉ ନଥିବା ବାରମ୍ବାର ଅଭିଯୋଗ ହେଉଛି। ତଥାପି ନିୟମ ଭଙ୍ଗକାରୀ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ପାନପୋଷ ଆଇଟିଡିଏରେ ବର୍ଷ ବର୍ଷ ଧରି ଡିପାର୍ଟମେଣ୍ଟାଲ କାମ ନାଁରେ ଚାଲିଥିବା ଠିକାଦାରପୋଷା ନୀତିକୁ ଅତୀତରେ ବିରୋଧୀ ଦଳମାନେ ମଧ୍ୟ କଡ଼ା ବିରୋଧ କରିଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଉଚ୍ଚ ଅଧିକାରୀଙ୍କ ଛତ୍ରଛାୟାରେ ରହିଥିବା ଆଇଟିଡିଏର କରିତ୍କର୍ମା ଅଧିକାରୀ ଓ ଯନ୍ତ୍ରୀମାନେ ଗୋଟିଏ ପରେ ଗୋଟିଏ ନିୟମ ଭଙ୍ଗ କରି ଚାଲିଛନ୍ତି।
The post ପାନପୋଷ ଆଇଟିଡିଏ କେଳେଙ୍କାରୀ: ୨ ଯନ୍ତ୍ରୀଙ୍କ ନାଁରେ ୪.୧୦ କୋଟିର କାମ first appeared on Sambad.from ଜିଲ୍ଲା | Sambad https://ift.tt/3BhgdqL
0 Comments