
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଆସିକା ରୋଡ଼ରୁ ଆଜି ଏଟିଏମ୍ କାଉଣ୍ଟର୍କୁ ଟଙ୍କା ଭର୍ତ୍ତି ପାଇଁ ଆସିଥିବା ଗାଡ଼ି ହାଇଜାକ୍ ହୋଇଛି। ପୁଲିସ ଘଟଣାର ତଦନ୍ତ ପରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ଗିରିସୋଲା ସୋରଳ ରାସ୍ତାରୁ ଗାଡ଼ିଟି ଉଦ୍ଧାର କରିଛି। ଗାଡ଼ି ଭିତରେ ଅଚେତ ଅବସ୍ଥାରେ ଥିବା ଡ୍ରାଇଭର୍ଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗାଡ଼ିରେ ଥିବା ୨୪ଲକ୍ଷ ଟଙ୍କା ଗାଏବ ରହିଥିବା ସଂସ୍ଥାର ଲୋକେସନ୍ ମ୍ୟାନେଜର୍ ପଦ୍ମନାଭ ପଣ୍ଡା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ବଡ଼ବଜାର ଥାନା ପୁଲିସ ତନାଘନା ଆରମ୍ଭ କରିଛି। ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏହି ଘଟଣା ଆଜି ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ ଏଜିଏସ୍ ସିକ୍ୟୁର୍ ନାମକ ଏକ ଘରୋଇ ସଂସ୍ଥା ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍ କାଉଣ୍ଟର୍ରେ ଜମା କରିଥାଏ। ଆଜି ପ୍ରାୟ ସାଢ଼େ ୧୦ଟା ବେଳେ ସଂସ୍ଥାର ୪ଜଣ କର୍ମଚାରୀ ଧର୍ମନଗର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ୨୬ଲକ୍ଷ ଟଙ୍କା ଭ୍ୟାନ୍ରେ ଭର୍ତ୍ତି କରିଥିଲେ। ଭ୍ୟାନ୍ରେ ଜଣେ ଡ୍ରାଇଭର୍, ଜଣେ ଗନ୍ମ୍ୟାନ୍ ଏବଂ ଦୁଇଜଣ କର୍ମଚାରୀ ଥିଲେ। ପ୍ରଥମେ ଭ୍ୟାନ୍ଟି ରଜାସାହି ସ୍ଥିତ ଏଟିଏମ୍ କାଉଣ୍ଟର୍କୁ ଯାଇଥିଲା। ସେଠାରେ ୨ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା। ସେଠାରୁ ଭ୍ୟାନ୍ଟି ଆସିକା ରୋଡ଼ ଆକ୍ସିସ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟର୍କୁ ଯାଇଥିଲା।
ଭ୍ୟାନ୍ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଡ୍ରାଇଭର୍ ଗାଡ଼ିରେ ବସିଥିଲେ। ଗନ୍ମ୍ୟାନ୍ ଓ ଦୁଇଜଣ କର୍ମଚାରୀ ଗାଡ଼ିରୁ ଓହ୍ଲାଇ ଏଟିଏମ୍ କାଉଣ୍ଟର୍ ଭିତରକୁ ଯାଇଥିଲେ। ଏହି ସମୟରେ ହଠାତ୍ ଡ୍ରାଇଭର୍ ଓ ଭ୍ୟାନ୍ଟି ଉଭାନ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଭ୍ୟାନ୍ର ପତ୍ତା ମିଳି ନଥିଲା। ଏ ନେଇ କର୍ମଚାରୀମାନେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଗିରିସୋଲା ସୋରଳ ଜଙ୍କସନ୍ ନିକଟରୁ ଭ୍ୟାନ୍ଟି ଠାବ ହୋଇଥିଲା। ଭ୍ୟାନ୍ ଭିତରେ ଡ୍ରାଇଭର୍ ଅଚେତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ଏଣୁ ତାଙ୍କୁ ତୁରନ୍ତ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭ୍ୟାନ୍କୁ ବଡ଼ବଜାର ଥାନାକୁ ଅଣାଯାଇଥିଲା।
ଖବର ପାଇ ସଂସ୍ଥାର ଲୋକେସନ୍ ମ୍ୟାନେଜର୍ ପଦ୍ମନାଭ ଥାନାରେ ପହଞ୍ଚିଥିଲେ। ଯାଞ୍ଚ ପରେ ଭ୍ୟାନ୍ର ଲକର୍ ଭଙ୍ଗା ଯାଇଥିବା ବେଳେ ଟଙ୍କା ଗାଏବ ଥିବା ଦେଖିବାକୁ ପାଇଥିଲେ। ମ୍ୟାନେଜର ପଦ୍ମନାଭଙ୍କ କହିବା ଅନୁସାରେ ଭ୍ୟାନ୍ଟି ୨୬ଲକ୍ଷ ଟଙ୍କା ଧରି ବାହାରିଥିଲା। ଗୋଟିଏ କାଉଣ୍ଟର୍ରେ ୨ଲକ୍ଷ ଟଙ୍କା ଜମା କରିବା ପରେ ଭ୍ୟାନ୍ଟି ଆସିକା ରୋଡ଼ ଯାଇଥିଲା। ସେଠାରୁ ଡ୍ରାଇଭର୍ ଓ ଭ୍ୟାନ୍ ନିଖୋଜ ହୋଇ ଯାଇଥିଲେ। ଏବେ ଭ୍ୟାନ୍ ଜବତ କରିବା ସହିତ ଡ୍ରାଇଭର୍ଙ୍କୁ ଉଦ୍ଧାର କରାଯାଇଛି। ଭ୍ୟାନ୍ରୁ ୨୪ଲକ୍ଷ ଟଙ୍କା ଗାଏବ ରହିଥିବା ମ୍ୟାନେଜର ପଦ୍ମନାଭ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଡ୍ରାଇଭର୍ ଆଶିଷ ଦିଗାଲଙ୍କ ଚେତା ଫେରିବାରୁ ସେ ଘଟଣା ସମ୍ପର୍କରେ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ତାଙ୍କର କହିବା ଅନୁସାରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ମାଉଜର୍ ଲଗାଇ କାବୁ କରିବା ପରେ ଭ୍ୟାନ୍ ସହିତ ଅପହରଣ କରି ନେଇଥିଲେ ବୋଲି କହିଛନ୍ତି। ଏହାପରେ କିଛି ନିଶା ଔଷଧ ସ୍ପ୍ରେ କରି ତାଙ୍କୁ ଅଚେତ କରି ଦେଇଥିଲେ। ପରେ ସେ ପୁଲିସ ଦ୍ବାରା ଉଦ୍ଧାର ହୋଇଥିବା କହିଛନ୍ତି। ଏହି ଘଟଣାକୁ ନେଇ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ କରି ତଦନ୍ତ ଜାରି ରହିଛି।
The post ବ୍ରହ୍ମପୁରରେ ଚାଞ୍ଚଲ୍ୟ: ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଥିବା ଭ୍ୟାନ୍ ହାଇଜାକ୍ first appeared on Sambad.from ଜିଲ୍ଲା | Sambad https://ift.tt/3gg4Kzo
0 Comments