
ଖମାର : ପାଳଲହଡ଼ା ବ୍ଲକ୍ ମୁଣ୍ଡୁରୀବେଡ଼ା ଗାଁର ଜଣେ ବିଧବା ମହିଳା ବବି ଦେହୁରୀ ଅଭାବ ଅନଟନରେ ଭାଙ୍ଗି ପଡ଼ିଛନ୍ତି। ପେଟକୁ ଦାନା ଯୋଗାଡ଼ ପାଇଁ ଜୁ ନଥିବାବେଳେ ରୋଗାକାନ୍ତ ଝିଅର ଚିକିତ୍ସା କରାଇପାରୁନାହାନ୍ତି। ଏହି ନିଃସ୍ବ ମହିଳାଙ୍କୁ ଏ ପର୍ଯ୍ୟନ୍ତ ସରକାରଙ୍କ ‘ଆବାସ’ ଯୋଜନାରେ ମଧ୍ୟ ସାମିଲ କରାଯାଇପାରିଲା ନାହିଁ।
ବବି ଦେହୁରୀ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଖଗେଶ୍ବର ଦେହୁରୀଙ୍କର ୮ବର୍ଷ ତଳେ ମୃତ୍ୟୁ ଘଟିଛି। ବବିଙ୍କ ଗୋଡ଼ ଅକାମୀ ହୋଇଯିବାରୁ ସେ ନିଜେ ଛିଡ଼ା ହୋଇପାରୁ ନାହାନ୍ତି। ତାଙ୍କର ସନ୍ତାନ କହିଲେ ୧୭ ବର୍ଷର ଝିଅଟିଏ ଅଛି। ଜନ୍ମରୁ ସେ ମୂର୍ଚ୍ଛାରୋଗରେ ପୀଡ଼ିତ। ଅଧିକାଂଶ ସମୟରେ ସେ ସଂଜ୍ଞାହୀନ ହୋଇ ପଡ଼ିରହେ। ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ମିଳୁଥିବା ୫ଶହ ଟଙ୍କା ଭତ୍ତା ଓ ୫ କେଜି ଚାଉଳ ତାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେଭଳି। ଦିଅର, ଦେଢ଼ଶୁରଙ୍କ ସହଯୋଗରେ ସେ ଚଳିଯାଉଛନ୍ତି। ସେମାନେ ଦିନେ କାମକୁ ନଗଲେ ଘରେ ଚୁଲି ଜଳେ ନାହିଁ। ଝିଅର ଚିକିତ୍ସା ପାଇଁ ସହଯୋଗ କରିବାକୁ କେହି ନାହାନ୍ତି।
ପ୍ରଶାସନକୁ ବାରମ୍ବାର ନିବେଦନ ସତ୍ତ୍ବେ ସରକାରୀ ଆବାସ ଯୋଜନାରେ ତାଙ୍କୁ ପକ୍କାଘର ମିଳିଲା ନାହିଁ। ଝାଟିମାଟି ନଡ଼ାଛପର ଘରେ ବହୁ କଷ୍ଟରେ ସେ ଚଳୁଛନ୍ତି। ତାଙ୍କ ପରିସ୍ଥିତି ସଂପର୍କରେ ତଦନ୍ତ କରାଯିବା ସହ ଝିଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବବି ନିବେଦନ କରିଛନ୍ତି।
The post ରୋଗ, ଅଭାବ ଅନଟନରେ ଘାଣ୍ଟି ହେଉଛନ୍ତି ବିଧବା ମହିଳା first appeared on Sambad.from ଜିଲ୍ଲା | Sambad https://ift.tt/3g6c6pd
0 Comments