
ଅନୁଗୁଳ: ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି(ଆରଥପିଡିଏସି) ବୈଠକ ଯାହା ନିଷ୍ପତ୍ତି ହେଉଛି, ତାହା କାର୍ଯ୍ୟକାରୀ କରିବାରେ ଏମ୍ସିଏଲ୍ କର୍ତ୍ତୃପକ୍ଷ ଅବହେଳା କରୁଛନ୍ତି। ତେଣୁ ଅସନ୍ତୋଷ ଝାଡ଼ିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିସନର ଅନିଲ କୁମାର ସାମଲ।
ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏମ୍ସିଏଲ୍ର ଆରପିଡିଏସି ବୈଠକରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ବୈଠକରେ ବହୁଦିନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରତି ବିସ୍ଥାପିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମ କିସ୍ତିରେ ସେମାନଙ୍କୁ ୫ ଲକ୍ଷ ଓ ଗାଁ ଛାଡିଲେ ଅବଶିଷ୍ଟ ୫ ଲକ୍ଷ ଦିଆଯିବ। କୋଇଲା ଉତ୍ତୋଳନ ପରେ ଖାଲି ରହୁଥିବା ସ୍ଥାନକୁ ବାଲି ପକାଇ ଏମ୍ସିଏଲ୍ ପୋତିବ ଓ ପ୍ରତି ଏକ ମାସରେ ଏହାର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବ। ବୈଠକରେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ଜଗମୋହନ ମୀନା, ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ସିହ୍ନା, ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏମ୍ସିଏଲ୍ ଜମି ଅଧିଗ୍ରହଣ ଓ ବିସ୍ଥାପିତ ପରିବାରଗୁଡିକର ସଠିକ୍ ସମୟରେ ଥଇଥାନ ଉପରେ ଗୁରୁତ୍ବାରୋପ କରିଥିଲେ।
The post ଏମ୍ସିଏଲ୍ର ଆର୍ପିଡିଏସି ବୈଠକ: ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ପଛଘୁଞ୍ଚା first appeared on Sambad.from ଜିଲ୍ଲା | Sambad https://ift.tt/3jvPPmI
0 Comments