
ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାର ମହିଳା ମେଡିସିନ୍ ୱାର୍ଡ ପାଲଟି ସାରିଥିଲା ସେମାନଙ୍କ ଘର। ସେଠାକାର ଡାକ୍ତର, ନର୍ସ ଓ କର୍ମଚାରୀ ସାଜିଥିଲେ ପରିବାର ସଦସ୍ୟ। ପକ୍ଷାଘାତରେ ପୀଡ଼ିତ ଦୁଇ ଅସହାୟ ମହିଳାଙ୍କୁ ତାଙ୍କ ପରିବାର ଲୋକ ଡାକ୍ତରଖାନାରେ ଛାଡ଼ିଦେଲେ ଯେ ଆଉ ନେବାକୁ ଆସି ନଥିଲେ। ଜଣେ ୪ ବର୍ଷ ଓ ଜଣେ ୩ ବର୍ଷରୁ ଅଧିକ ହେଲା ମହିଳା ମେଡିସିନ୍ ୱାର୍ଡ-୩ର ଦୁଇଟି ପାଖାପାଖି ଶଯ୍ୟାରେ ରହିଥିଲେ। ଡାକ୍ତର ଓ କର୍ମଚାରୀଙ୍କ ସ୍ନେହ ଯତ୍ନ ଯୋଗୁଁ ସେମାନଙ୍କ ଅବସ୍ଥାରେ ବି ଉନ୍ନତି ଆସିଥିଲା। ଔଷଧ ଓ ଚିକିତ୍ସା ସହ ସେମାନଙ୍କ ଖିଆପିଆ, ଲୁଗାପଟା କଥା ବି କର୍ମଚାରୀ ବୁଝୁଥିଲେ। ଡାକ୍ତରଖାନାରୁ ମିଳୁଥିବା ଖାଦ୍ୟ ଛଡ଼ା ରୋଗୀ ଦ୍ବୟ ଅନ୍ୟ କିଛି ଖାଇବାକୁ ଇଚ୍ଛା କଲେ ବହୁ ଶ୍ରଦ୍ଧାରେ ନିଜ ଖର୍ଚ୍ଚରୁ କିଣି ଆଣି ଖାଇବାକୁ ଦେଉଥିଲେ କର୍ମଚାରୀ। ରୋଗୀ ଦ୍ବୟଙ୍କୁ ଶାଢ଼ି, ନାଇଟି ଆଦି କିଣି ଆଣି ପିନ୍ଧିବାକୁ ଦେଉଥିଲେ ଡାକ୍ତର। ରୋଗୀ ଦ୍ବୟ ମଧ୍ୟ ସମସ୍ତଙ୍କୁ ନିଜ ପୁଅଝିଅ ଭଳି ଦେଖୁଥିଲେ।
ତୁମେ ଭଲ ହେଲଣି, ଆଶ୍ରମକୁ ଯିବ ବୋଲି କେହି ଥଟ୍ଟାରେ କହିଲେ ଭୋ’ଭୋ କାନ୍ଦି ପକାଉ ଥିଲେ। ମରିବା ଯାଏ ଡାକ୍ତରଖାନାରୁ ଅନ୍ୟ କୋଉଠିକୁ ନ ପଠାଇବାକୁ କାକୁତିମିନତି ହେଉଥିଲେ। ସେ କଥା ସତ ହୋଇଛି। ୩ ବର୍ଷରୁ ଅଧିକ ସମୟ ଡାକ୍ତରଖାନାକୁ ଘର କରି ରହିଥିବା ପୁଷ୍ପାଞ୍ଜଳି ବାଗ (୬୨)ଙ୍କର ଗତ ୨୮ ତାରିଖ ଦିନ ୧୦ଟା ୩୦ରେ ମୃତ୍ୟୁ ହୋଇଥିଲା। ସାଧାରଣତଃ କାହାରି ମୃତ୍ୟୁରେ ବିଚଳିତ ହେଉନଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ପୁଷ୍ପାଙ୍କ ପରଲୋକରେ ମ୍ରିୟମାଣ ହୋଇ ପଡ଼ିଥିଲେ। ମହିଳା ଦ୍ବୟଙ୍କ ନିୟମିତ ସେବା କରୁଥିବା ଡାକ୍ତର ଶଂକର ରାମଚନ୍ଦାନୀ ପୁଷ୍ପାଙ୍କ ଶେଷକୃତ୍ୟ କରିବାକୁ ପୁଲିସ୍କୁ ଅନୁମତି ମାଗିଥିଲେ। ପୁଲିସ୍ କିନ୍ତୁ ପ୍ରଥମେ ବୀରମହାରାଜପୁର ନିକଟସ୍ଥ ତାଙ୍କ ନିଜ ଗାଁକୁ ଖବର ପଠାଇଥିଲା। ହେଲେ ୩ ଦିନ ଧରି କେହି ମୃତଦେହ ନେବାକୁ ନ ଆସିବାରୁ ମଙ୍ଗଳବାର ଡା. ରାମଚନ୍ଦାନୀଙ୍କୁ ଶେଷକୃତ୍ୟ ପାଇଁ ଅନୁମତି ଦେଇଥିଲା। ସେ ବୁର୍ଲା ଶ୍ମଶାନକୁ ଶବ ନେଇ ନିଜେ ମୁଖାଗ୍ନି ଦେଇଥିଲେ। ସୂଚନାଯୋଗ୍ୟ, ପୁଷ୍ପା ୧୨ ଜୁଲାଇ ୨୦୧୮ରେ ଭିମସାର୍ରେ ଭର୍ତ୍ତି ହୋଇଥିଲେ।
The post ୩ ବର୍ଷ ଧରି ୱାର୍ଡ ସାଜିଥିଲା ଘର, କର୍ମଚାରୀ ଥିଲେ ପରିବାର first appeared on Sambad.from ଜିଲ୍ଲା | Sambad https://ift.tt/38reYsu
0 Comments