କନ୍ଦରପୁର : କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀ(୭୦)ଙ୍କୁ ଜଣେ ପାନ ଦୋକାନୀ କଟୁରିରେ ହାଣି ହତ୍ୟା କରିଛି। ‌ରବିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କନ୍ଦରପୁର ମେଡିକାଲ ରୋଡ୍‌ ମୁଣ୍ଡାସାହି ନିକଟରେ ଥିବା ଏକ ଚିକେନ୍ କାଉଣ୍ଟର୍‌ ନିକଟରୁ ସୁଦର୍ଶନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି। କନ୍ଦରପୁର ଥାନା ପୁଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ସିଦ୍ଧେଶ୍ବରପୁରର ଅର୍ଜୁନୀ ଜେନା(୩୫)କୁ ଗିରଫ କରିଛି। ପାନ ଦୋକାନ କରିଥିବା ଅର୍ଜୁନୀ କିଛିଦିନ ତଳେ ସୁଦର୍ଶନଙ୍କ ନିକଟରୁ ସୁଧରେ ଟଙ୍କା ଆଣିଥିଲା। ଏହି ଟଙ୍କାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ପ୍ୟାକେଟ କ୍ଷୀର କିଣି ନିଜ ସ୍କୁଟିରେ ସିଦ୍ଧେଶ୍ୱରପୁରସ୍ଥିତ ନିଜ ଘରକୁ କନ୍ଦରପୁର ମେଡିକାଲ ରାସ୍ତାରେ ରବିବାର ସନ୍ଧ୍ୟାରେ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ସିଦ୍ଧେଶ୍ବର ସାହିର ଅର୍ଜୁନୀ ପହଞ୍ଚିଥିଲା। ଉଭୟଙ୍କ ମଧ୍ୟରେ ସୁଧ ଟଙ୍କା ଫେରସ୍ତକୁ ନେଇ ବଚସା ହୋଇଥିଲା। ପୂର୍ବରୁ ବି ଅନେକଥର ଏମିତି ବିବାଦ ହୋଇଛି। ଆଜି ଅର୍ଜୁନୀ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ କଟୁରିରେ ସୁଦର୍ଶନଙ୍କୁ ହାଣିଦେଇଥିଲା। କଟୁରି ଚୋଟରେ ସୁଦର୍ଶନଙ୍କ କାନ୍ଧ(ବେକ ପାଖ)ରେ ଗଭୀର କ୍ଷତଚିହ୍ନ ରହିଥିବାବେଳେ ହାତର ଆଙ୍ଗୁଠି କାଟି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି। ସୁଦର୍ଶନ ରାସ୍ତାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ କନ୍ଦରପୁର ଥାନା ପିସିଆର୍ ଭ୍ୟାନ୍‌ ତାଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ କନ୍ଦରପୁର ଥାନା ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ଅର୍ଜୁନୀ ଜେନାକୁ ଚିହ୍ନଟ କରିଥିଲା। ଅର୍ଜୁନୀ ଗିରଫ ଭୟରେ ସିଦ୍ଧେଶ୍ବରପୁର ନିକଟ ଏକ ସ୍କୁଲ କ୍ୟାମ୍ପସ୍ ଭିତରେ ଲୁଚିଯାଇଥିଲା। ପୁଲିସ ଖବର ପାଇ ତାକୁ ସ୍କୁଲ କ୍ୟାମ୍ପସ ଭିତରୁ ମାଡ଼ି ବସିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ବି ଜବତ କରିଛି।

ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଗଲା କିଛିବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ସୁଧ କାରବାର କରି ଆସୁଥିଲେ। ତାଙ୍କ ନିକଟରୁ ଅର୍ଜୁନୀ ବି ଟଙ୍କା ନେଇଥିଲା। କିନ୍ତୁ ସେ ଟଙ୍କା ଫେରସ୍ତ ନ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ସୁଧ କାରବାର ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବି ସୁଧ ଟଙ୍କାକୁ ନେଇ ଦୁଇ/ତିନି ଥର ସେମାନଙ୍କ ଭିତରେ ବିବାଦ ହୋଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଶ୍ରୀ ସିଂହ କହିଛନ୍ତି।

The post କନ୍ଦରପୁର କଲେଜ ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/2WuhtYm