
ପୁରୀ : ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନକୁ କଡ଼ା ସମାଲୋଚନା ସହ ବିରୋଧ କରିଛନ୍ତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ପୁରୀ ଧାମ ଏକ ଅନନ୍ୟ ତୀର୍ଥସ୍ଥଳ। ତେଣୁ କେବଳ ଏହାକୁ ପର୍ଯ୍ୟଟନ ସ୍ଥଳ ଭାବେ ଗୁରୁତ୍ବ ଦେଇ ତୀର୍ଥଭୂମିର ଗୁରୁତ୍ବକୁ ଭୁଲିଯିବା ଗ୍ରହଣୀୟ ନୁହେଁ। ବରଂ ତୀର୍ଥଭୂମିରେ ତୀର୍ଥ ପରମ୍ପରା ଲୋପକରିବାର ଏହା ହୀନ ପ୍ରୟାସ। ଯଦି ଏପରି ହୁଏ ଗୋବଂଶ ସଂରକ୍ଷଣ ପାଇଁ ମହଜୁଦ ଥିବା ଗୋଚର ଭୂମି ଲୋପପାଇବ। ସେ ବିକାଶକୁ ସର୍ବଦା ସମର୍ଥନ କରନ୍ତି, କିନ୍ତୁ ବିକାଶର ସ୍ବରୂପକୁ ଉଚିତ୍ ଢଙ୍ଗରେ ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଶଙ୍କରାଚାର୍ଯ୍ୟ କହିଛନ୍ତି, ପୁରୀରୁ ୬୦ କିଲୋମିଟର ଦୂରରେ ରାଜଧାନୀରେ ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି। ତା’ ସତ୍ତ୍ବେ ପୁରୀରେ ବିମାନ ବନ୍ଦରର ପରିକଳ୍ପନା କ’ଣ ପାଇଁ? ଏହାକୁ ଦିଗହୀନ କରାନଯାଉ ବୋଲି ସେ କହିଛନ୍ତି। ଶାସନ ତନ୍ତ୍ର ଯଦି ପୁରୀରେ କୌଣସି ଅଭିଯାନ କରିବାକୁ ଚାହୁଁଛନ୍ତି ତାଙ୍କ ସହ ଆଲୋଚନା କରି ଏହାର ଉପଯୋଗିତା ପୂର୍ବକ କାର୍ଯ୍ୟ କରିପାରିବେ। କିନ୍ତୁ ବିମାନବନ୍ଦର ପ୍ରତିଷ୍ଠାକୁ ସେ କଦାପି ସମର୍ଥନ କରିବେନାହିଁ। କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର, ଅମଙ୍ଗଳ ସୂଚକ କାର୍ଯ୍ୟକୁ ସେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି। ଯଦି ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହେ, ଏନେଇ ଜନଜାଗରଣ ସୃଷ୍ଟି କରିବା ପାଇଁ ସେ ପ୍ରୟାସ ଆରମ୍ଭ କରିବେ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଏହି ଯେ ପୁରୀର ସିପସରୁବାଲି ମୌଜାରେ ‘ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ନିର୍ମାଣ ପାଇଁ ସରକାରୀ ସ୍ତରରେ ନକ୍ସା ପ୍ରସ୍ତୁତ ସରିଛି। ଏଥିପାଇଁ ୧୫ଶହ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଚାଲିଛି। ଏପରିକି ଆସନ୍ତା ନିର୍ବାଚନ ପୂର୍ବରୁ ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତ ବିମାନବନ୍ଦର ପ୍ରାଧିକରଣ ମଧ୍ୟ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲିସ ଅନୁକୁଳ ମନ୍ତବ୍ୟ ଦେଇ ଫେରି ଯାଇଛନ୍ତି। ତେବେ ଶଙ୍କରାଚାର୍ଯ୍ୟଙ୍କ ଏପରି ବୟାନ ପରେ ପ୍ରକଳ୍ପକୁ ଘୋର ବିରୋଧ ହେବାନେଇ ସଙ୍କେତ ମିଳିସାରିଛି।
The post ପୁରୀରେ ବିମାନବନ୍ଦରକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ first appeared on Sambad.from ଜିଲ୍ଲା | Sambad https://ift.tt/2Wzzfd7
0 Comments