
ସମ୍ବଲପୁର: ସମ୍ବଲପୁର ଦୂରଦର୍ଶନ ଲକ୍ଷ ଲକ୍ଷ ଲୋକଙ୍କର ମନୋରଂଜନ କରିବା ସହ ହଜାର ହଜାର କଳାକାରଙ୍କୁ ପରିଚୟ ଦେଇଛି। ଏହା କେବଳ ରାଜ୍ୟର ସର୍ବପୁରାତନ ବା ଦେଶର ସପ୍ତମ ଦୂରଦର୍ଶନ କେନ୍ଦ୍ର ନୁହେଁ, ଏହା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବାଭିମାନର ପ୍ରତୀକ। ଏହି କେନ୍ଦ୍ର ପ୍ରତି କୌଣସି ପ୍ରକାର ଅବହେଳା ବରଦାସ୍ତର ବାହାରେ। ଏହି କେନ୍ଦ୍ର ଉଠାଇ ନେବା ପାଇଁ ଚାଲିଥିବା ସରକାରୀ ଷଡ଼୍ଯନ୍ତ୍ରକୁ ଭଣ୍ଡୁର କରାଯିବ। ଆମର ଗର୍ବ ଗୌରବ ଦୂରଦର୍ଶନ କେନ୍ଦ୍ରକୁ ବଞ୍ଚାଇ ରଖିବା ପାଇଁ ଆମେ ଯେକୌଣସି ସ୍ତରକୁ ଯିବୁ, ଆବଶ୍ୟକ ହେଲେ ଦିଲ୍ଲୀ ରାଜପଥରେ ଆନ୍ଦୋଳନ କରିବୁ। ମଙ୍ଗଳବାର ଏଭଳି ଗର୍ଜନ କରିଛନ୍ତି କଳାକାର, ବୁଦ୍ଧିଜୀବୀ, ରାଜନୈତିକ ନେତା ଓ ସାଧାରଣ ଜନତା।
ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ ଦ୍ବାରା ଆହୂତ ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ବରଗଡ଼ ଧନୁଯାତ୍ରାର କଂସ ଭୁବନେଶ୍ବର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟାରେ କଳାକାର, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନର ପ୍ରତିନିଧି, ରାଜନୈତିକ ଦଳର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ। ଡା. ରାସେଶ୍ବରୀ ପାଣିଗ୍ରାହୀ ଏହି କେନ୍ଦ୍ର ପ୍ରତି ନିରନ୍ତର ଅବହେଳା ପାଇଁ କେନ୍ଦ୍ର ସରକାରକୁ ଦାୟୀ କରିବା ସହ ଏହାକୁ କୌଣସି ପ୍ରକାରେ ଉଠି ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଅନ୍ୟ ପକ୍ଷରେ ସାଂସଦ ଶ୍ରୀ ପୂଜାରୀ ଏହି କେନ୍ଦ୍ର ଉଠିବ ନାହିଁ ବୋଲି କଳାକାର ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ସଂସଦର ଗତ ଅଧିବେଶନରେ ଏହି ପ୍ରସଂଗ ଉଠାଇଥିଲେ ବି ଆଲୋଚନା ହୋଇପାରି ନଥିଲା। କିନ୍ତୁ ପରବର୍ତ୍ତୀ ଅଧିବେଶନରେ ବି ଏହି ପ୍ରସଂଗ ଉଠିବ। ସେ ଓ ପଶ୍ଚିମ ଓଡ଼ିଶାର ଅନ୍ୟ ସାଂସଦ ମାନେ ମନ୍ତ୍ରୀ ଓ ସରକାରଙ୍କ ସହ ବ୍ୟକ୍ତିଗତ ଭାବେ ଏ ସଂପର୍କରେ ଆଲୋଚନା କରିବେ। ଏହି କେନ୍ଦ୍ରର କାର୍ଯ୍ୟକ୍ରମ ବିଭାଗକୁ କେମିତି ପୁଣିଥରେ ସଶକ୍ତ କରାଯିବ ସେ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଥିଲେ।
ପାରଂପରିକ ସମ୍ବଲପୁରୀ ପୋଷାକ ପନ୍ଧି, ଦୁଲଦୁଲି ବାଜାର ତାଳେତାଳେ ଆଜି ଭିନ୍ନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଥିଲା। ସେଠାରେ ଉପସ୍ଥିତ ସାଂସଦ ଶ୍ରୀ ପୂଜାରୀ ତଥା ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରା ଯାଇଥିଲା। ଏହି ବିକ୍ଷୋଭରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥ, ସଂଜୟ ବାବୁ, ହୀରାଲାଲ ବେହେରା, ଡ. ପରେଶ ଦାନୀ, ପ୍ରଫୁଲ୍ଲ ହୋତା, ସରୋଜ ଦାଶ, ରତନ ପୂଜାରୀ, ମୋହିତ ସ୍ବାଇଁ, ରଂଜନ ସାହୁ, ମଳୟ ବେହେରା, ସୂର୍ଯ୍ୟ ଗୁରୁ, ବନ୍ଦିତା ମିଶ୍ର, ବିକାଶ ଦାଶ, ସ୍ବାଧୀନ ପଣ୍ଡା, ସତ୍ୟ ପଣ୍ଡା, ଭାରତ ଗୌରବ ଦାଶ, ସୁମିତ ପ୍ରଧାନ, କମଳ ଲୋଚନ ପଣ୍ଡା, ଅଖିଳ ପଟ୍ଟନାୟକ, ପ୍ରଫୁଲ୍ଲ ଦାଶ, ରଂଜିତା ଦାଶ, ସନ୍ତୋଷ ବଢ଼େଇ, ଅସିତ ଶତପଥୀ, କୃଷ୍ଣଚନ୍ଦ୍ର ବାଗ, ଦିଲୀପ ପଣ୍ଡା, ବିଦ୍ୟା, ଗୋବିନ୍ଦ ଅଗ୍ରୱାଲ, ସୁବ୍ରତ ପଣ୍ଡାଙ୍କ ସମେତ ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦୁର୍ଗା ଦାଶ, ଭୋଳା ମହତ୍ତମ ଏବଂ ତର୍ପଣ ପ୍ରଧାନ ବିକ୍ଷୋଭ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନାକୁ ଆଖି ଆଗରେ ରଖି ଏହାକୁ ଏକ ପୂର୍ଣ୍ଣାଙ୍ଗ ଦୂରଦର୍ଶନ କେନ୍ଦ୍ରରେ ପରିଣତ କରିବା, ସପ୍ତାହକୁ ୭ ଦିନ ୨୪ ଘଣ୍ଟା କାର୍ଯ୍ୟକ୍ରମ ପ୍ରସାରଣ କରିବା, ଡିଜିଟାଲ୍ ସାଟେଲାଇଟ୍ ନ୍ୟୁଜ୍ ଭ୍ୟାନ୍ ବ୍ୟବସ୍ଥା କରିବା, ସମସ୍ତ ଖାଲି ପଦ ପୂରଣ କରି ପୁଣିଥରେ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀଙ୍କଠାରେ ଦାବି କରାଯାଇଛି।
The post ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବଞ୍ଚାଇବାକୁ ବିକ୍ଷୋଭ: କଳାକାର, ସଂଗଠନ ଓ ରାଜନୈତିକ ଦଳ ଏକଜୁଟ first appeared on Sambad.from ଜିଲ୍ଲା | Sambad https://ift.tt/3DeGGH0
0 Comments