ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନ‌ା ଭିତରେ ଆଜି ଜଣେ ଅଭିଯୁକ୍ତଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଏଏସ୍‌ଆଇ କୈଳାସଚନ୍ଦ୍ର ନାଏକ ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ଥାନା ଅଞ୍ଚଳର ରେଙ୍ଗାଲମାଲର ଅଭିଯୁକ୍ତ ବୈକୁଣ୍ଠ ରାଉତ ନାମରେ ଥିବା ସଂଗିନ ଦଫା କୋହଳ କରିବା ପାଇଁ ପୁଲିସ ଅଧିକାରୀ ଟଙ୍କା ନେଉଥିଲେ। ଭିଜିଲାନ୍ସ ଏଏସ୍‌ଆଇଙ୍କ ଟେବୁଲରେ ଥିବା ଏକ ଫାଇଲରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଏହାସହ ତାଙ୍କ ଘର କରମଡିହିରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍‌ ଚଢ଼ଉ କରିଛି।

ଅଭିଯୋଗ ଅନୁସାରେ, ଗତ ଜୁଲାଇ ୪ ତାରିଖରେ ରେଙ୍ଗାଲମାଲର ବୈକୁଣ୍ଠ ରାଉତଙ୍କୁ ଗ୍ରାମର ରଘୁନାଥ ମହାକୁଡ଼ଙ୍କ ପୁଅ ସୁନୀଲ ମହାକୁଡ଼ ଓ ଅନୀଲ ମହାକୁଡ଼ କୌଣସି ଏକ ଘଟଣାରେ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ବୈକୁଣ୍ଠ ବଡ଼ଗାଁ ଥାନାରେ ଏତଲା ଦେଇଥିଲେ। ଏହାର ପରେପରେ ଅନୀଲଙ୍କ ମା’ ଦମୟନ୍ତୀ ମହାକୁଡ଼ ବୈକୁଣ୍ଠଙ୍କ ନାମରେ ପାଲଟା ଏତଲା ଦେଇଥିଲେ। ପୁଲିସ ଦୁଇଟି ମାମଲା ରୁଜୁ କରିଥିଲେ ମଧ୍ୟ ବୈକୁଣ୍ଠଙ୍କ ବିରୋଧରେ ୩୪୧, ୩୨୩, ୨୯୪, ୩୫୪, ୪୪୮, ୫୦୬ ଦଫା ଲଗାଇଥିଲା। ତେବେ , ଦଫା କୋହଳ କରିବା ପାଇଁ ମାମଲାର ତଦନ୍ତ ଅଧିକାରୀ ଏଏସ୍‌ଆଇ କୈଳାସ ନାଏକ ଅଭିଯୁକ୍ତ ବୈକୁଣ୍ଠକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବୈକୁଣ୍ଠ ଏତେ ଟଙ୍କା ଦେବାକୁ ଅକ୍ଷମ ଥିବା ପ୍ରକାଶ କରିବାରୁ ପୁଲିସ ଅଧିକାରୀ ୩୦ ହଜାର ଟଙ୍କା ଦେବାକୁ କହିଥିଲେ। ଏହାପରେ ବୈକୁଣ୍ଠ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁକରିବା ସହ ଲାଞ୍ଚୁଆ ପୁଲିସ ବାବୁଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଆଜି ବୈକୁଣ୍ଠ ଥାନା ଭିତରେ ନଗଦ ୫ ହଜାର ଟଙ୍କା (ରାସାୟନିକ ପ୍ରଲେପ ଦିଆ) ଦେବାପରେ ଏଏସ୍‌ଆଇ ଟଙ୍କାତକ ନିଜେ ନେଇ ଟେବୁଲରେ ଥିବା ଏକ ଫା‌ଇଲ୍‌ ଭିତରେ ରଖିଥିଲେ। ଠିକ୍‌ ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ତାଙ୍କୁ କାବୁ କରିଥିଲା। ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ଶେଖର ପୁଝାରୀ, ଡିଏସ୍‌ପି ବୀରେନ୍ଦ୍ର ନାଏକ ଓ ଟିମ୍‌ ଚଢ଼ଉ କରିଥିବା ସୂଚନା ମିଳିଛି।

The post ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ first appeared on Sambad.

from ଜିଲ୍ଲା | Sambad https://ift.tt/3jengtZ