ବାଣପୁର: ବାଣପୁର ଥାନା ଅନ୍ତର୍ଗତ ଭୂସ୍କାପଡ଼ା ଗ୍ରାମର ଜଣେ ମହିଳା ଦୀର୍ଘ ୫ ମାସ ହେବ ନିଖୋଜ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୂସ୍କାପଡା ଗ୍ରାମର ସୀମାଞ୍ଚଳ ବିଶ୍ବାଳଙ୍କ ଝିଅ ପୁଷ୍ପା ବିଶ୍ୱାଳ (୨୩) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ରାହଡା ଗ୍ରାମର ସୁବାସ ବିଶୋଇଙ୍କ ପୁଅ ଅରୂପ ବିଶୋଇଙ୍କୁ ୨୦୨୦ ମସିହା ଜୁନ ମାସରେ ବିବାହ କରିଥିଲେ। ପରେ ଗତ ୨୦୨୧ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ପୁଷ୍ପା ନିଜ ବାପା ଘର ଭୂସ୍କାପଡାକୁ ଯାଇଥିଲେ। କିନ୍ତୁ ୭ ଦିନ ପରେ ଅର୍ଥାତ ଗତ ୨୦୨୧ ମାର୍ଚ୍ଚ ୧୭ ତାରିଖ ରାତି ୧୦ଟା ସମୟରେ ପଡ଼ିଶା ଘରକୁ ଯାଉଛି କହି ଆଉ ଫେରିନଥିଲେ। ରାତି ଅଧିକ ହେବା ପରେ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ରହିବା ସହ ବହୁ ଆଡେ ଖୋଜାଖୋଜି କରିଥିଲେ। ଦୁଇ ଦିନ ଧରି ବିଭିନ୍ନ କୂଅ ଓ ପୋଖରୀ ଖୋଜିଥିଲେ। କିନ୍ତୁ ତାଙ୍କର ପତ୍ତା ମିଳିନଥିଲା। ପରେ ଗତ ୨୦୨୧ ମାର୍ଚ୍ଚ ୨୦ ତାରିଖ ଦିନ ବାଣପୁର ଥାନାରେ ପୁଷ୍ପ।ଙ୍କ ବାପା ସୀମାଞ୍ଚଳ ଏକ ନିଖୋଜ ଏତଲା ଦେଇଥିଲେ। ଦୀର୍ଘ ୫ ମାସ ହେବ ପୁଷ୍ପାଙ୍କ ସନ୍ଧାନ ମିଳିନଥିବା ବେଳେ ତାଙ୍କ ସ୍ୱାମୀ ଅରୂପ ଓ ଶ୍ୱଶୁର ସୁବାସ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାଣପୁର ଥାନା ପୋଲିସ ପୁଷ୍ପାର ସନ୍ଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ୨ ପରିବାର ପକ୍ଷରୁ ଦାବି କରାଯାଇଛି।

The post ୫ ମାସ ହେଲା ମହିଳାଙ୍କର ପତ୍ତା ମିଳୁନି first appeared on Sambad.

from ଜିଲ୍ଲା | Sambad https://ift.tt/3xMVNnm