ନାଚୁଣୀ: ସର୍ବନିମ୍ନ ମୌଳିକ ସୁବିଧାରୁ କେହି ଅସହାୟ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନ ପ୍ରଣୟନ ହେଉଛି। ଏହାର ସୁଫଳ ଅନେକଙ୍କ ପାଖରେ ପହଞ୍ଚିପାରୁନଥିବା ଅନେକ ଅଭିଯୋଗ ଆସୁଛି। ଏହାର ଜ୍ବଳନ୍ତ ଉଦାହରଣ ଚିଲିକା ବ୍ଲକର ହାଟବରଡିହ ପଞ୍ଚାୟତ ଅଧୀନ ଗଇନଡା ଗ୍ରାମର ସ୍ବର୍ଗତ ବଲ୍ଲଭ ତରାଇଙ୍କ ବିଧବା ପତ୍ନୀ ପ୍ରମିଳା ତରାଇ(୫୨)। ତାଙ୍କର ଅବସ୍ଥା ଦେଖିଲେ ଯେକେହି ବି ଦୁଃଖ ପ୍ରକାଶ କରିବ। ଆଜକୁ ଦୀର୍ଘ ବର୍ଷ ତଳୁ ତାଙ୍କର ସ୍ବାମୀ ମରିଯାଇଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ରୋଗୀଣା ଶାଶୁଶ୍ବଶୁର ଶଯ୍ୟାଶାୟୀ। ଶାଶୁ ଙ୍କର ଗୋଡ ଭାଂଗି ଯାଇଥିବାରୁ ଉଠିବସି ପାରୁନାହାନ୍ତି।

ଅଭାବରୁ ବାହାରେ ରହୁଥିବା ଏକ ମାତ୍ର ପୁଅର ସ୍ବଳ୍ପ ରୋଜଗାର ସମୁଦ୍ରକୁ ଶଂଖେ। ସାଥିରେ ପୁଅବୋହୁ ଓ ୩ଟି କଅଁଳା ଶିଶୁଙ୍କ ଧରି ସମସ୍ତଙ୍କ ସହ ଜରିପାଲ ତଳେ ସେ ରହୁଛନ୍ତି। ଗତ ଫନି ବାତ୍ୟାରୁ ଭାଙ୍ଗି ଯାଇଥିବା ଘର ବଖରାଟି ଆର୍ଥିକ ଦୁର୍ଗତିରୁ ମରାମତି ହୋଇପାରୁନାହିଁ। ବିଧବା ପ୍ରମିଳା ଓ ଛୋଟ ନାତିଟାର ନାମ ରାସନ କାର୍ଡରୁ କଟିଯାଇଥିବାରୁ ଉଭୟଙ୍କୁ ମାସିକ ରାସନ ମିଳିପାରୁନାହିଁ। ବିଧବା ପ୍ରମିଳା ନିଜର ଅସୁସ୍ଥତା ସତ୍ତ୍ବେ ପୁଅକୁ ଧରି ହାଟବରଡିହ ପଞ୍ଚାୟତରୁ ଚିଲିକା ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଯାଇ ରାସନ କାର୍ଡରେ ନାମ ସଂଯୋଗ ସହ ମୁଣ୍ଡ ଗୁଂଜିବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ବାସଗୃହ ଖଣ୍ଡେ ପାଇଁ ଯାଇ ଅଫିସରଙ୍କ ପାଖରେ କାକୁତିମିନତି ହେଉଛନ୍ତି। କେବଳ ପ୍ରତିଶ୍ରୁତିରେ ବର୍ଷ ପରେ ବର୍ଷ ଗଡିଗଲାଣି। ତାଙ୍କ ଭଳି ନିରାଶ୍ରୟ, ଅସହାୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ବୋଲି ବିଧବା ପ୍ରମିଳା ଦୁଇଧାର ଅଶ୍ରୁ ନିର୍ଗତ କରି କ୍ଷୋଭ ପ୍ରକାଶ କରିଛନ୍ତି। ଛୋଟଛୋଟ ପିଲା, ବୟସାଧିକ ଶାଶୁଶ୍ବଶୁରଙ୍କୁ ଧରି ଅତି ବିପଦସଂକୁଳ ଅବସ୍ଥାରେ ଜରିପାଲ ତଳେ ଦୀର୍ଘ ବର୍ଷରୁ କାଳ କାଟୁଥିବା ବିଧବା ପ୍ରମିଳାଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ସଦୟ ହେବାକୁ ସାଧାରଣରେ ଦାବି ହେଉଛି।

The post ପଲିଥିନ ତଳେ ବିତୁଛି ଜୀବନ, ବିଧବା ପ୍ରମିଳାଙ୍କୁ ଆବାସ ମିଳିବ କେବେ? first appeared on Sambad.

from ଜିଲ୍ଲା | Sambad https://ift.tt/2VOODC9