
କୋରାପୁଟ: କୋରାପୁଟରେ ପ୍ରଥମ କରି ଆରମ୍ଭ କରାଯାଇଛି ବିଦ୍ୟୁତ ଚାଳିତ ଗଭୀର ଉଠା ଜଳସେଚନ ପ୍ରକଳ୍ପ। ଆଜି କୋରାପୁଟର ମାଛରା ଠାରେ ବିଜୁ କୃଷକ ବିକାଶ ଯୋଜନାରେ ୧୯.୪ ଲକ୍ଷ ଟଙ୍କା ବିନିମୟରେ ଉଠା ଜଳସେଚନ ପାଇଁ ଗଭୀର ନଳକୂପ ଯୋଜନା ଉଠା ଜଳସେଚନ ନିଗମର ଅଧକ୍ଷ ଅମରେଶ ପତ୍ରୀ ଲୋକାର୍ପିତ କରିଛନ୍ତି। ଗୋଟିଏ କ୍ଲଷ୍ଟରରେ ୫ଟି ଗଭୀର ନଳକୂପ ଖୋଳାଯାଇଥିବା ବେଳେ ଏହା ପାଖାପାଖି ୨୫ ଏକର ଚାଷ ଜମିରେ ଜଳ ସେଚିତ କରିବ ବୋଲି ଜଣାପଡିଛି। ଉଦଘାଟନୀ ଅବସରରେ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁ କୃଷକ ବିକାଶ ଯୋଜନାରେ ସାରା ଓଡିଶାରେ ଅନେକ ଚାଷୀ ଉପକୃତ ହେବେ ତଥା ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସବୁବେଳେ ତତ୍ପର ଥିବା ପ୍ରକାଶ କରିଛନ୍ତି। ପାହାଡିଆ ଅଂଚଳରେ ପାଣିର ଅସୁବିଧା ହେତୁ ଅନେକ ଚାଷୀ ଚାଷ କରି ପାରୁନଥିଲେ।
ବିଶେଷ କରି କୋରାପୁଟ ଭଳି ପାହାଡିଆ ଅଞ୍ଚଳରେ ବର୍ଷାଦିନ ପରେ ଅଣ ଜଳସେଚିତ ଜମି ଶୁଖିଲା ରହୁଥିଲା। ତେବେ ବିଜୁ କୃଷକ ବିକାଶ ଯୋଜନା ଦ୍ୱାରା ପାହାଡିଆ ଅଞ୍ଚଳରେ ଏବେ ଚାଷୀ ପାଣି ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଜନବିକାଶ ଓ କୃଷକ ସଶକ୍ତିକରଣ ଯୋଜନାକୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି ସେ କହିଛନ୍ତି। ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିହନ ନିଗମ ଅଧକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲିଫ୍ଟ ଏରିଗେସନ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୋଦ ଦାଶ ଓ କନିଷ୍ଠ ଯନ୍ତ୍ରୀ କୈଳାସ ଭତ୍ରାଙ୍କ ସମେତ ମାଛରା ଗ୍ରାମର ବହୁ ଚାଷୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ କୋରାପୁଟର ମାଛରା, ଉମୁରୀ ଓ ରଙ୍ଗବାଲି କୁମ୍ଭାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି।
The post ଗଭୀର ନଳକୂପ ପ୍ରକଳ୍ପ ଉଦଘାଟିତ, ୨୫ ଏକର ଚାଷ ଜମିକୁ ଯୋଗାଇବ ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3guSCuG
0 Comments