ଜୟପୁର : ଏହି ବର୍ଷ ଖରିଫ ମଣ୍ଡିରେ ଧାନ ବିକ୍ରୀ କରିବାକୁ ଆଜି ସରିଛି ଚାଷୀ ପଂଜୀକରଣ। କୋରାପୁଟ ଜିଲ୍ଲାରେ ୯୯ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଉଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ମଣ୍ଡିରେ ଧାନ ବିକ୍ରି କରିବାକୁ ୨୦ଟି ଲ୍ୟାମ୍ପ, ୨୩ଟି ଏସଏଚଜି, ୨ଟି ପାଣି ପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୩୫ହଜାର ୯୬୫ଜଣ ଚାଷୀ ପଂଜୀକୃତ କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା କହିଛନ୍ତି। ଗତ ବର୍ଷ ଖରିଫ ମଣ୍ଡିରେ ଧାନ ବିକ୍ରି କରିବାକୁ ୩୪ହଜାର ୩୯୩ଜଣ ଚାଷୀ ଖରିଫ ପଂଜିକରଣ କରିଥିଲେ। ଗତ ବର୍ଷ ତୁଳନାରେ ଏବର୍ଷ ଅଧିକ ୧୫୭୨ଜଣ ଚାଷୀ ପଂଜିକରଣ କରିଛନ୍ତି। ଜିଲ୍ଲାର ୨୦ଟି କ୍ରୟକାରୀ ସଂସ୍ଥା ଲ୍ୟାମ୍ପରେ ୨୫ହଜାର ୯୧୧ଜଣ ଚାଷୀ ପଂଜିକରଣ କରାଇଛନ୍ତି। ସେଭଳି ୨୩ଟି ମହିଳା ସ୍ବୟଂ ସହାୟକ ଦଳ ଜରିଆରେ ୯୩୨୧ଜଣ ଓ ୨ଟି ପାଣି ପଂଚାୟତ ଜରିଆରେ ୭୩୩ଜଣ ଚାଷୀ ଧାନ ବିକ୍ରୀ କରିବାକୁ ପଂଜିକରଣ କରାଇଛନ୍ତି। ତେବେ ଏହା ବାଦେ ବି ଡିଜିଟାଇଜେସନ୍ ନ ହୋଇ ଆଉ କିଛି ଆବେଦନପତ୍ର ରହିଛି। ବିଭିନ୍ନ କ୍ରୟକାରୀ ସଂସ୍ଥା ଏହାକୁ ଚାଷୀଙ୍କ ଠାରୁ ଆଜି ଗ୍ରହଣ କରି ନେଇଛନ୍ତି।

ସେଗୁଡ଼ିକୁ ସେମାନେ ରାତି ଦିନ ଏକ ଡିଜିଟାଇଜେସନ୍ କରି ପଂଜୀକୃତ କରିବେ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାକରୀ। ଡିଜିଟାଇଜେସନ୍ ହୋଇସାରିଥିବା ଚାଷୀଙ୍କ ବିବରଣୀ ଅନୁଯାୟୀ ଯୁଗ୍ମ କମିଟି ବି ଯାଂଚ କରୁଛନ୍ତି। ଆସନ୍ତା ଦିନରେ ସେମାନଙ୍କ ଯାଂଚ କାମ ସରିଲେ ପ୍ରକୃତରେ କେତେ ଚାଷୀ ଧାନ ବିକ୍ରୀ କରିବାକୁ ଯୋଗ୍ୟ ତାହା ସ୍ପଷ୍ଟ ରୁପେ ଜଣା ପଡ଼ିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ଅନ୍ୟ ପକ୍ଷରେ ଜିଲ୍ଲାରେ ଧାନ ରୁଆ କାମ ଅଳ୍ପ କିଛି ଜମିରେ ବାକି ରହିଥିବା ବେଳେ ଏବେ ବହୁ ଚାଷୀ ରୁଆ ସାରି ଘାସ ବଛା, ସଫା ସୁତରା, ଜମି ହୀଡ଼ ବାନ୍ଧିବା, ରାସାୟନିକ ସାର, କୀଟନାଶକ ଔଷଧ ଆଦି ସିଂଚନ ଜାରୀ ରଖିଛନ୍ତି।

The post ସରିଲା ଖରିଫ ମଣ୍ଡି ପଂଜୀକରଣ: ଆଜି ପର୍ଯ୍ୟନ୍ତ ୩୫ହଜାର ୯୬୫ ପଂଜୀକୃତ, ଡିଜିଟାଇଜେସନ୍ ଜାରୀ  first appeared on Sambad.

from ଜିଲ୍ଲା | Sambad https://ift.tt/3zdDY2j