
କବାଟବନ୍ଧ : ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା ମୌଜାର ବାଘୁଆଠାରେ ଥିବା ମା’ ପାର୍ବତୀ ଷ୍ଟୋନ କ୍ରସରକୁ ରବିବାର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।
ସୂଚନା ମୁତାବକ ଏହି କ୍ରସରରେ ଗତ ଗୁରୁବାର ରାତିରେ ଦୁର୍ଘଟଣା ଘଟି ଝାଡ଼ଖଣ୍ତର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଜେନାପୁର ପୁଲିସ ସଂପୃକ୍ତ ବେଆଇନ କ୍ରସର ମାଲିକ ବାଲିଚନ୍ଦ୍ରପୁର ଥାନା କଳାଶ୍ରୀ ଗୋପାଳପୁର ଗ୍ରାମର ପ୍ରଣୟ କୁମାର ସାମଲଙ୍କ ନାଁରେ ୨୪୬/୨୧ରେ ଏକ ମାମଲା ରୁଜୁ କରି ତାଙ୍କୁ ଶନିବାର କୋର୍ଟ କରିଥିଲା। ରବିବାର ପୂର୍ବାହ୍ନରେ ଧର୍ମଶାଳା ତହସିଲଦାର ଦେବୀପ୍ରସାଦ ମହାନ୍ତି, ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ ସଦଳବଳେ ପହଞ୍ଚି ଉକ୍ତ କ୍ରସରକୁ ସିଲ୍ କରିଥିବାର ଜଣାଯାଇଛି। ପୂର୍ବରୁ ଏହି କ୍ରସର ସିଲ ହୋଇଥିଲା। ଏହାର ମାଲିକ ବେଆଇନ ଭାବେ ସିଲ୍ ଖୋଲି କ୍ରସର ଚଲାଉଥିଲେ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି।
The post ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁ ଘଟଣା: ବେଆଇନ କ୍ରସରକୁ ସିଲ୍ କଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/37wG9lj
0 Comments