
ତୁମୁଡ଼ିବନ୍ଧ/ଚକାପାଦ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଜଳେଶପଟ୍ଟାସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତି କନ୍ୟାଶ୍ରମ ପରିସରରେ ସୋମବାର ଆଶ୍ରମ ପ୍ରତିଷ୍ଠାତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ରୟୋଦଶ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ୟାଶ୍ରମ ଅନ୍ତେବାସୀ ରାହୁଲ ନଦୀରେ ତିଳତର୍ପଣ କରିଥିଲେ। ପରେ କଳସଯାତ୍ରାରେ ଆଶ୍ରମରେ ପହଞ୍ଚିବା ପରେ ସ୍ବାମୀଜୀଙ୍କ ସ୍ମୃତିଚାରଣ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ସହ ସ୍ୱାମୀଜୀଙ୍କ ବଳିଦାନକୁ ସ୍ମରଣ କରାଯାଇଥିଲା l
ସ୍ୱାମୀଜୀଙ୍କ ହତ୍ୟା ଘଟଣାର ତଦନ୍ତକୁ ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀ ଚିହ୍ନଟ ହୋଇ ପାରି ନଥିବାରୁ ସମଗ୍ର ହିନ୍ଦୁ ସମାଜକୁ ନ୍ୟାୟ ମିଳିପାରିନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ମାର୍ଗଦର୍ଶକ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସବ୍ୟସାଚୀ ପଣ୍ଡା ଓ ଆଜାଦ ଏବେ ଜେଲ୍ରେ ଥିବାବେଳେ ସେମାନଙ୍କୁ କାହିଁକି ଜେରା କରାଯାଉ ନାହିଁ? ରାଜ୍ୟ ସରକାର ଯଦି ଖୁବ୍ଶୀଘ୍ର ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ ନକରନ୍ତି ତେବେ ହିନ୍ଦୁ ସମାଜ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ଓ କେନ୍ଦ୍ର ସରକାରଙ୍କ ନିକଟରେ ସିବିଆଇ ତଦନ୍ତ ଦାବି କରିବ ବୋଲି ସେ କହିଛନ୍ତି। ଏଥିସହିତ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବା ପାଇଁ ଦାବି କରିଛନ୍ତି।
ସେହିପରି ଚକାପାଦ ଆଶ୍ରମ ପରିସରରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ ଏବଂ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୦୮ରେ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ସମୟରେ ସ୍ବାମୀଜୀ ଓ ତାଙ୍କର ଚାରି ଅନୁଗାମୀଙ୍କୁ ହତ୍ୟା ଘଟଣାରେ ସମଗ୍ର ଜିଲ୍ଲାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା।
The post କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧଦିବସ ପାଳିତ first appeared on Sambad.from ଜିଲ୍ଲା | Sambad https://ift.tt/3yyuD3M
0 Comments