ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ ଗୁମୁଡ଼ା ଅଞ୍ଚଳରେ ସାହାରା ଇଣ୍ଡିଆ ଜମାକାରୀ ଟଙ୍କା ଫେରି ପାଇବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨/୩ ବର୍ଷ ଧରି ପଲିସ ମ୍ୟାଚ୍ୟୁରିଟି ହୋଇ ସାରିଥିଲେ ମଧ୍ୟ କମ୍ପାନୀ ଟଙ୍କା ଫେରାଉ ନଥିବାରୁ ଜମାକାରୀ ନିରାଶ ହୋଇଛନ୍ତି। ଟଙ୍କା ମିଳିବାରେ ବିଳମ୍ବ ଯୋଗୁ ଏଜେଣ୍ଟ୍ ହରଡ଼ଘଣାରେ ପଡିବା ପରେ ଆଜି ଉଭୟ ଜମାକାରୀ ଏବଂ ଏଜେଣ୍ଟ ଲିଖିତ ଭାବେ ଏ ନେଇ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସାହାରା ଇଣ୍ଡିଆ ସଂସ୍ଥାରେ ପଦ୍ମପୁର ଏବଂ ଆଖପାଖ ଅଞ୍ଚଳର ୫୦୦ରୁ ଉର୍ଦ୍ଧ୍ବ ଜମାକାରୀ ୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜମା ରଖିଛନ୍ତି। ଜମା ଅର୍ଥ ଅବଧି ୨/୩ ବର୍ଷ ତଳେ ଶେଷ ହୋଇଥିଲେ ମଧ୍ୟ ସାହାରା ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଟଙ୍କା ଫେରାଉ ନାହିଁ। ଫଳରେ ବହୁ ଜମାକାରୀ ସେମାନଙ୍କ ଝିଅ ବାହାଘର ଏବଂ ଚିକିତ୍ସା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଜେଣ୍ଟଙ୍କ କହିବାନୁଯାୟୀ, ଜମାକାରୀଙ୍କ ଦାବି ସଂପର୍କରେ ଜୋନାଲ ମ୍ୟାନେଜର, ଟେରିଟୋରୀ ହେଡ୍ ଏବଂ ଏରିଆ ମ୍ୟାନେଜରଙ୍କୁ ଅବଗତ କରାଯାଇଛି। କିନ୍ତୁ ସମସ୍ୟାର ସମାଧାନ ବଦଳରେ ଉଚ୍ଚପଦସ୍ତ ଅଧିକାରୀମାନେ ଧମକଚମକ ଦେଉଛନ୍ତି।

ଯେଉଁ ଏଜେଣ୍ଟ ନୂତନ ବ୍ୟବସାୟ କରିବ ସେମାନଙ୍କ ମାଧ୍ୟମରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦିଆଯିବ ବୋଲି କୁହାଯାଉଛି। ଏଭଳି କି ଟଙ୍କା ଫେରସ୍ତ ପାଇଁ ସାହାରା ଅଧିକାରୀ ଜମାକାରୀଙ୍କୁ ବାରମ୍ବାର ତାରିଖ ପରେ ତାରିଖ ଦେଉଛନ୍ତି। ୨୦୨୦ ଡିସେମ୍ବର, ୨୦୨୧ ମାର୍ଚ୍ଚ ଏବଂ ଏବେ ଶେଷରେ ଜୁଲାଇ ମାସରେ ଟଙ୍କା ଫେରସ୍ତ ପାଇଁ ସଂସ୍ଥାର ମୁଖ୍ୟ ଓ ସାହାରା ଅଧିକାରୀମାନେ କହିଥିଲେ। ତଥାପି ହେଲେ ଜମା ଟଙ୍କା ମିଳି ପାରୁନି। ଫଳରେ ନିରାଶ ହୋଇ ଜମାକାରୀ ଓ ଏଜେଣ୍ଟ୍ ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟିଛନ୍ତି। ଅତିଶୀଘ୍ର ସଂସ୍ଥାର ଓଡ଼ିଶା ଦାୟିତ୍ବରେ ଥିବା ମୁଖ୍ୟ ଅଧିକାରୀଙ୍କୁ ରାୟଗଡ଼ା ଡକାଯାଇ ଏଜେଣ୍ଟ ଏବଂ ଜମାକାରୀଙ୍କ ସମସ୍ୟା ସଂପର୍କରେ ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି।

The post ମିଳୁନି ଜମା ଟଙ୍କା, ଠକି ଚାଲିଛି ସାହାରା ଇଣ୍ଡିଆ: ଏଜେଣ୍ଟ୍-ଜମାକାରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ first appeared on Sambad.

from ଜିଲ୍ଲା | Sambad https://ift.tt/3DyT312