ପୁରୀ: କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରାୟ ଚାରି ମାସ ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ହେଲେ ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଭାଦ୍ରବ କୃଷ୍ଣ ତୃତୀୟା ତିଥିରେ ଅନୁଷ୍ଠିତ ହେବାକୁ ଥିବା ଏହି ନୀତି ଦ୍ଵିତୀୟ ଭୋଗମଣ୍ଡପ ଭୋଗ ସମ୍ପନ୍ନ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ସମ୍ପାଦିତ ହେବ।
ଏହି ୪ଘଣ୍ଟା ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପରେ ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ନୀତି କରାଯିବ। ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ସକାଳ ୭ଟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ।
ତେବେ ସୋମବାର ପ୍ରାୟ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତେବେ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ୍ ରିପୋର୍ଟ ଅବା ଡବଲ୍ ଡୋଜ୍ ଟିକା ପ୍ରମାଣପତ୍ର ସାଙ୍ଗରେ ଆଣି ନଥିବାରୁ କିଛି ଶ୍ରଦ୍ଧାଳୁ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିଥିଲା। ପଟେ ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ୧୦ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା। ପ୍ରତିହାରୀ ସେବକମାନେ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ରକ୍ଷା କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିଥିଲେ।
The post ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ first appeared on Sambad.from ଜିଲ୍ଲା | Sambad https://ift.tt/3sKmFDn
0 Comments