
ଯୋଡ଼ା : ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ପୁଟୁଗାଁ ଗ୍ରାମ ଜଙ୍ଗଲରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବକ ଜଣଙ୍କ ହେଲେ ବଡ଼ବିଲ ମହାନ୍ତ ବସ୍ତିର ବିଜୟ ମହାନ୍ତ (୨୫)। ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି।
ପୁଲିସ ସୂଚନା ଅନୁଯାୟୀ, ବିଜୟ ୯ ତାରିଖରେ କୁଟାରିପୋଷିସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ। ଆଜି ତାଙ୍କ ମୃତଦେହ ଜଙ୍ଗଲର ଏକ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଯୋଡ଼ା ଥାନା ଅଧିକାରୀ ପଦ୍ମାଳୟା ସାହୁ, ବିଲେଇପଦା ଫାଣ୍ଡି ଅଧିକାରୀ ସେକ୍ ଆଜାରୁଦ୍ଦିନ ଘଟଣାସ୍ଥଳରେ ପହଞ୍ଚ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଯୋଡ଼ା ଥାନାରେ କେସ୍ ନମ୍ବର ୨୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ଅନ୍ୟପକ୍ଷରେ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ବିଜୟଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବିଜୟ ଓ ସ୍ତ୍ରୀ କୌଶଲ୍ୟାଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲା। ଏକମାସରୁ ଊର୍ଦ୍ଧ୍ବ ହେବ କୌଶଲ୍ୟା ଦୁଇପିଲାଙ୍କୁ ନେଇ କୁଟାରିପୋଷିସ୍ଥିତ ବାପଘରକୁ ଚାଲି ଆସିଥିଲେ। ତାଙ୍କୁ ଫେରାଇ ଆଣିବା ପାଇଁ ବିଜୟ ଶ୍ୱଶୁରଘରକୁ ଆସିଥିଲେ। ସେଠାରେ ତାଙ୍କୁ ମାରପିଟ୍ କରାଯାଇଥିଲା। ବିଜୟ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଦାଗ ରହିଛି। ଶ୍ୱଶୁରଘର ଲୋକେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ବିଜୟଙ୍କ ମା’ କୁନ୍ତଳା ମହାନ୍ତ ଅଭିଯୋଗ କରିଛନ୍ତି। ସେହିପରି ବିଜୟଙ୍କ ସହ ତାଙ୍କ ଦାଦାପୁଅ ଶମ୍ଭୁ ମଧ୍ୟ କୁଟାରିପୋଷି ଯାଇଥିଲେ। ତାଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି।
The post ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3CJ1IO2
0 Comments