ବରପାଲି: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମି ଆନୁକୂଲ୍ୟରେ ଜନ୍ମମାଟି ବରପାଲି ଠାରେ ପାଳିତ ହୋଇଛି। ଏକାଡେମି ତରଫରୁ ସଦସ୍ୟ ବାମାପଦ ତ୍ରିପାଠୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଉତ୍ସବର ଉଦ୍‌ଘାଟନ କରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଗଂଗାଧର ସାହିତ୍ୟର ଗବେଷଣା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଲେ, ଗଂଗାଧର ସାହିତ୍ୟର ପ୍ରତିଟି ଉପାଦାନ ସାହିତ୍ୟିକଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ଉପାଦାନଗୁଡ଼ିକୁ ଗବେଷଣା ମାଧ୍ୟମରେ ହିଁ ପରବର୍ତୀ ପିଢ଼ି ପାଖକୁ ପହଂଚାଇ ହେବ।

ମୁଖ୍ୟବକ୍ତା ଅଧ୍ୟାପକ ପ୍ରଦୀପ ହୋତା ନିଜ ବକ୍ତବ୍ୟରେ ଗଂଗାଧର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସାହିତ୍ୟକୁ ଆକଳନ ମଣିଷ ନୁହେଁ, ବରଂ ସମୟ କରିଥାଏ। ଗଂଗାଧର ସାହିତ୍ୟରେ ଶହେ ବର୍ଷର ସମାଜର ଚିତ୍ର ରହିଛି। ସାଧାରଣତଃ ସମାଜ ଅନୁସାରେ ସାହିତ୍ୟ କୃତି ସୃଷ୍ଟି ହୁଏ ବୋଲି ଧାରଣା ରହିଛି। କିନ୍ତୁ ସମାଜ କିଭଳି ହେବା କଥା ତାହା ବିବେଚନା କରିବା ସାହିତ୍ୟ ଓ ସାହିତ୍ୟିକର ଧର୍ମ ବୋଲି ଶ୍ରୀ ହୋତା ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ବକ୍ତା ପ୍ରଫେସର ରଘୁନାଥ ମେହେର ନିଜ ବକ୍ତବ୍ୟରେ ଗଂଗାଧର ସାହିତ୍ୟର ସୃଜନଶୀଳତା ଏବଂ ମହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। ଶିକ୍ଷକ ଅଶୋକ ପଣ୍ଡା ଅତିଥି ପରିଚୟ, ବାଳକିଶୋର ଖାଡ଼ଙ୍ଗା ସ୍ୱାଗତ ଅଭିଭାଷଣ, ଉତ୍ତର ଗଡ଼ତିଆ ଧନ୍ୟବାଦ ଦେଇଥିଲେ। ଲିଟିଲ୍‌ ଆଞ୍ଜେଲ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।

The post ଓଡ଼ିଶା ସାହିତ୍ୟ ଏକାଡେମି ପାଳିଲା ଗଙ୍ଗାଧର ଜୟନ୍ତୀ, ଗଂଗାଧର ସାହିତ୍ୟର ଗବେଷଣାକୁ ଗୁରୁତ୍ବ first appeared on Sambad.

from ଜିଲ୍ଲା | Sambad https://ift.tt/3j8qdMx