ବାରିପଦା : ବାରିପଦାରେ ନିଜର ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧି କରିବା ଲାଗି ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦେଇଥିବା ଜମି ମାଫିଆଙ୍କୁ ଲାଗିଛି ପ୍ରଶାସନିକ ଛାଟ। ବାରିପଦା ପୌରପରିଷଦରେ ପ୍ରବାହିତ ଜରାଳି-ସରାଳୀ ନଦୀ ଶଯ୍ୟାରେ ଜନୈକ ରଞ୍ଜିତ କୁମାର ମହାନ୍ତି କରିଥିବା ନିର୍ମାଣ କାର୍ଯ୍ୟ ବେଆଇନ ଅଟେ ବୋଲି ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ ହୃଦବୋଧ କରିଛନ୍ତି। ବାରିପଦା ତହସିଲ କାର୍ଯ୍ୟାଳୟ ଓ ବାରିପଦା ପୌରପାଳିକା ପକ୍ଷରୁ ହୋଇଥିବା ମିଳିତ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁସାରେ ଗତକାଲି ଉପଜିଲ୍ଲାପାଳ ଶ୍ରୀମତୀ ଦାସ ରଞ୍ଜିତ କୁମାର ମହାନ୍ତିଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜରାଳି-ସରାଳୀ ନଦୀ ଶଯ୍ୟାରେ ହୋଇଥିବା ଉକ୍ତ ବେଆଇନ କାର୍ଯ୍ୟ ଫଳରେ ଦୁଇ ନଦୀର ସ୍ବାଭାବିକ ଜଳ ପ୍ରବାହ ବାଧାପ୍ରାପ୍ତ ହେବ।

ଏହା ଫଳରେ ବାରିପଦା ପୌରପରିଷଦର ୱାର୍ଡ ନଂ- ୪, ୭, ୮, ୯, ୧୦, ୧୧ ଏବଂ ୧୪ର ଅଧିବାସୀ ଗଭୀର ଭାବେ ପ୍ରଭାବିତ ହେବେ। ଏହି ସବୁ ୱାର୍ଡ ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଜରାଳୀ-ସରାଳୀ ନଦୀର ପଥ ଅବରୋଧ କରି ହୋଇଥିବା ବେଆଇନ ନିର୍ମାଣ ଉକ୍ତ ୱାର୍ଡବାସୀଙ୍କୁ ବିପଦରେ ପକାଇବ ବୋଲି ଖୋଦ୍‌ ଉପଜିଲ୍ଲପାଳ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି। ଯାହାକି ଧାରା ୧୩୩(୧) ଅନୁସାରେ ସର୍ବସାଧାରଣଙ୍କ ସ୍ବାର୍ଥ ହାନୀ କରୁଥିବା ଉଲ୍ଲେଖ‌ କରାଯାଇଛି। ମଧୁବନ ଉନ୍ନୟନ ପରିଷଦ ଓ ସିନିୟର୍‌ ସିଟିଜେନ୍‌ ଫୋରମ୍‌, ବାରିପଦା ମୟୂରଭଞ୍ଜ ପକ୍ଷରୁ ହୋଇଥିବା ଅଭିଯୋଗ ଏବଂ ମିଳିତ ପ୍ରଶାସନିକ ତଦନ୍ତରୁ ମିଳିଥିବା ରିପୋର୍ଟକୁ ପାଥେୟ କରି ବାରିପଦା ଉପଖଣ୍ଡ ଅଧିକାରୀ ଶ୍ରୀମତୀ ଦାସ ସିଆରପିସି ଧାରା ୧୩୩(୧) ଅନୁସାରେ ବେଆଇନ ନିର୍ମାଣକାରୀ ରଞ୍ଜିତ କୁମାର ମହାନ୍ତିଙ୍କୁ ଉକ୍ତ ନିର୍ମାଣକୁ ନୋଟିସ୍‌ ଜାରି କରାଯିବାର ୭ ଦିନ ମଧ୍ୟରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଆଉ କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ ମଧ୍ୟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ମାସ ୧୨ରେ ବେଆଇନ ନିର୍ମାଣକାରୀ ରଞ୍ଜିତ କୁମାର ମହାନ୍ତିଙ୍କୁ ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୋଟିସ୍‌କୁ ଉକ୍ତ ବେଆଇନ ନିର୍ମାଣକାରୀକୁ ତୁରନ୍ତ ପ୍ରଦାନ କରିବାକୁ ବାରିପଦା ଟାଉନ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାରିପଦା ପୌରପରିଷଦରେ ବିଭିନ୍ନ ଜମି ହାତେଇବା ପାଇଁ କଳବଳ କୌଶଳ ପ୍ରୟୋଗ କରୁଥିବା ଜମି ମାଫିଆଙ୍କୁ ପ୍ରଶାସନର ଏହି ଛାଟକୁ ବରିଷ୍ଠ ନାଗରିକ ଫୋରମ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ସହରବାସୀଙ୍କ ସୁରକ୍ଷାକୁ ଉପେକ୍ଷା କରି ଜମି ମାଫିଆଙ୍କର ଏପରି କାର୍ଯ୍ୟକୁ ସର୍ବାସାଧାରଣରେ ସମାଲୋଚନା କରାଯାଇଛି। ଜରାଳୀ-ସରାଳୀ ନଦୀର ଉଭୟ ପାର୍ଶ୍ବରେ କୋଟି କୋଟି ଟଙ୍କା ବ୍ୟୟରେ ଜନବସତିକୁ ସୁରକ୍ଷା ଦେବା ନିମ‌ନ୍ତେ ନିର୍ମିତ ପଥର ପ୍ୟାକିଂକୁ ଭାଙ୍ଗି କରୁଥିବା ଏପରି କାର୍ଯ୍ୟ ବେଆଇନ ବୋଲି ଖୋଦ୍‌ ପ୍ରଶାସନ ମଧ୍ୟ ସ୍ବିକାର କରିଛି। ଯାହାକି ଜମି ମାଫିଆଙ୍କୁ ଝଟ୍‌କା ଦେଇଛି। ଉଲ୍ଲେଖଯୋଗ୍ୟଯେ ଏପରି ବେଆଇନ କାର୍ଯ୍ୟ ବିରୋଧରେ ମଧୁବନ ଉନ୍ନୟନ ପରିଷଦ ଏବଂ ବରିଷ୍ଠ ନାଗରିକ ଫୋରମ, ବାରିପଦା ମୟୂରଭଞ୍ଜ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏନେଇ ‘ସମ୍ବାଦ’ରେ ଲଗାତର ଭାବେ ରିପୋର୍ଟ ପ୍ରକାଶ ପାଇଚାଲିଥିଲା। ତେବେ ସରକାରୀ ରାଜସ୍ବରେ ନିର୍ମିତ ପଥର ପ୍ୟାକିଂକୁ ବେଆଇନ ଭାବେ ଭଙ୍ଗାଯାଇଥିବାରୁ ଉକ୍ତ ନିର୍ମାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଫୋରମ୍‌।

 

The post ବାରିପଦାରେ ମାତିଛନ୍ତି ଜମି ମାଫିଆ : ଜମି ମାଫିଆଙ୍କୁ ପ୍ରଶାସନର ଛାଟ first appeared on Sambad.

from ଜିଲ୍ଲା | Sambad https://ift.tt/3xCqLyx