
ବାଲେଶ୍ବର: କରୋନା କାଳରେ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ ରହିଥିବାରୁ କଳାକାରମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ପ୍ରତ୍ୟେକ କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଦାବିରେ ଆଜି ବାଲେଶ୍ବର ଜିଲ୍ଲା କଳାକାର ମହାସଂଘ ନେତୃତ୍ବରେ ଶତାଧିକ କଳାକାର ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖ ରାସ୍ତାରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
ମହାସଂଘର ବାଲେଶ୍ବର ଜିଲ୍ଲା ଶାଖା ସମ୍ପାଦକ ରାଜେନ୍ଦ୍ର ରାଉତ, ଲକ୍ଷ୍ମୀ ଘୋଷ ଏବଂ ରବି ଦାସଙ୍କ ନେତୃତ୍ବରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିବା ବେଳେ କରୋନାର ପ୍ରଥମ ଲହରରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ସମୟ କାଳ ମଧ୍ୟରେ ଲକଡାଉନ ଏବଂ ସଟଡାଉନ ଯୋଗୁଁ ସମସ୍ତ ବର୍ଗର କଳାକାରମାନେ ଅତ୍ୟନ୍ତ ଦୁର୍ଦ୍ଦିନ ଅବସ୍ଥାରେ ରହିଛନ୍ତି। ଏହା ସହିତ ଘରଭଡ଼ା ଦେବା, ଧାରକରଜ ଶୁଝିବା, ପିଲାଙ୍କୁ ପାଠ ପଢ଼େଇବା ଏବଂ ପରିବାର ଚଳାଇବା ସେମାନଙ୍କ ପାଇଁ ଦୂରୁହବ୍ୟାପାର ହୋଇଛି। ସମଗ୍ର ବିଶ୍ବରେ ବିଭିନ୍ନ ରାଷ୍ଟ୍ର ସେମାନଙ୍କ ଲୋକମାନଙ୍କୁ ଜୀବନଜୀବିକା ବଞ୍ଚେଇବା ସହାୟତା ପ୍ରଦାନ କରୁଛନ୍ତି।
ଆମ ଦେଶରେ ମଧ୍ୟ ତେଲେଙ୍ଗାନା, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ବିଭିନ୍ନ ପ୍ରକାର ଆର୍ଥିକ ସାହାଯ୍ୟ ଦିଆଯାଉଛି। ତେଣୁ ଓଡ଼ିଶାରେ ମଧ୍ୟ ସମସ୍ତ ବର୍ଗର କଳାକାରଙ୍କୁ ବିଗତ ୬ ମାସର ୫ ହଜାର ଲେଖାଏଁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି। ସେହିପରି କଳାକାରମାନଙ୍କୁ ଋଣ ଦିଆଯାଇ ଯାତ୍ରାକୁ ଏମ୍ଏସ୍ଏମଇ ଅନ୍ତର୍ଭୁକ୍ତ କରାଯାଉ।
ଯେଉଁ କଳାକାରମାନେ ଚଳିତ ବର୍ଷ ଋଣ ନେଇଛନ୍ତି ସେମାନଙ୍କୁ ଋଣ ଶୁଝିବା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ସମୟ ଦିଆଯାଉ, ଯାତ୍ରା ଚାଲିବା ପାଇଁ ନାଇଟ କର୍ଫ୍ୟୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ଯଦି ସରକାର ତୃତୀୟ ଲହରରେ ଲକଡାଉନ ଏବଂ ସଟଡାଉନ ଘୋଷଣା କରିବେ, ତେବେ ଏହି ୬ ମାସର ପ୍ୟାକେଜ ବାଦ୍ ପ୍ରତି ମାସରେ ସମସ୍ତ କଳାକାରମାନଙ୍କର ଜୀବିକା ଖର୍ଚ୍ଚ ବହନ କରିବା, କଳାକାର ଭତ୍ତା ୧୨୦୦ ରୁ ୩୦୦୦ କୁ ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଥିଲା। ଆଗାମୀ ୧୫ ଦିନ ମଧ୍ୟରେ ଯଦି ଏହି ଦାବି ପୂରଣ କରାନଯାଏ ତେବେ ସଂଘର ଆନ୍ଦୋଳନ ଅଧିକରୁ ଅଧିକ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ କଳାକାର ମାନେ ସାମିଲ ହୋଇଥିଲେ।
The post ରାସ୍ତାରେ ବସି କାନ୍ଦିଲେ କଳାକାର: ଚୁଲି ଜଳୁନି କି ଚଳି ହେଉନି first appeared on Sambad.from ଜିଲ୍ଲା | Sambad https://ift.tt/3lJFIfK
0 Comments