ଖୋର୍ଦ୍ଧା: ଆଷାଢ଼ ଯାଇ ଶ୍ରାବଣ ମାସର ୧୫ ଦିନ ବିତିଯାଇଛି। ଶ୍ରାବଣରେ ବର୍ଷା ଅନବରତ ପଡ଼ିବା କଥା, ଚାରିଆଡ଼େ ଜଳମୟ ଓ ସବୁଜିମା ଭରିଯିବା କଥା, ଚାଷ ଜମିରେ ପାଣି ଚହଲ ମାରିବା କଥା, କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଚଳିତବର୍ଷ ଏହାର ବିପରୀତ କଥା ଦେଖିବାକୁ ମିଳିଛି। ଦିନର ତାପମାତ୍ରା ୩୫-୩୭ ଡିଗ୍ରୀ ରହିଥିବା ବେଳେ ଅନେକ ଚାଷ ଜମି ପାଣି ଅଭାବରୁ ଶୁଖିବା ଆରମ୍ଭ ହୋଇଛି। ଯଦି ଆଉ କିଛିଦିନ ବର୍ଷାର ଏଭଳି ଅଭାବ ଲାଗିରହେ ତେବେ ଜିଲ୍ଲାରେ ଶତାଧିକ ଏକର ଚାଷ ଜମିରେ ତଳି ଶୁଖିଯିବା ସମ୍ଭାବନା ଜଳଜଳ ହୋଇ ଦିଶୁଛି। ଜିଲ୍ଲାରେ ବର୍ଷା ଅଭାବରୁ ଚାଷ କାମ ବାଧାପ୍ରାପ୍ତ ହେଉଛି ଓ ଚାଷୀ ନିକଟରେ କୃଷି ବିଭାଗ ପହଞ୍ଚି ପାରୁନାହିଁ କି ସେମାନଙ୍କ ଦୁଃଖ ଶୁଣିବାକୁ କେହିନାହିଁ। ଏନେଇ ‘ସମ୍ବାଦ’ ପକ୍ଷରୁ କ୍ରମାଗତ ଭାବେ ତୃଣମୂଳସ୍ତରରୁ ଖବର ଲେଖାଯାଉଛି। କିନ୍ତୁ କୃଷି ବିଭାଗ କେବଳ ବର୍ଷାକୁ ଅପେକ୍ଷା କରି ରଣନୀତିକୁ ଗଡ଼ାଇଚାଲିଛି। ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁରେ ୧ଲକ୍ଷ ୫ହଜାର ୮୬୦ ହେକ୍ଟର ଚାଷ ଜମିରହିଛି। ଜୁଲାଇ ମାସ ଶେଷ ବେଳକୁ ଏହାର ମାତ୍ର ୫୮ ହଜାର ହେକ୍ଟର ଚାଷ ଜମିରେ ଚାଷ କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ୧୯ ଦିନ ମଧ୍ୟରେ ଆଉ ୧୯ହଜାର ୫୦୪ ହେକ୍ଟର ଜମିରେ ଚାଷ କାମ ହୋଇଛି।

ସେହିଭଳି ୧୪ ହଜାର ୯୨୦ ହେକ୍ଟର ଜମିରେ ଅଣଧାନଜାତୀୟ ଚାଷ ହୋଇଥାଏ, କିନ୍ତୁ ଏଥିରୁ ବର୍ତ୍ତମାନ ୧୦ହଜାର ୯ ହେକ୍ଟର ଜମିରେ ଚାଷ କାମ ହୋଇପାରିଛି। ତେବେ ଜିଲ୍ଲାରେ ବାଲିପାଟଣା, ବାଲିଅନ୍ତା, ଭୁବନେଶ୍ୱର ଓ ଖୋର୍ଦ୍ଧାର ପୂର୍ବପାଶ୍ୱର୍ରେ ବର୍ଷା ସ୍ୱାଭାବିକ ଥିବାବେଳେ ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧାର ପଶ୍ଚିମ ପାଶ୍ୱର୍ରେ ବର୍ଷା ପ୍ରାୟତଃ ନାହିଁ। ଯେଉଁ ଜମିଗୁଡ଼ିକ ଖାଲୁଆ, ସେଥିରେ କିଛି ପରିମାଣରେ ବର୍ଷା ଜଳ ଦେଖିବାକୁ ମିଳିଛି, କିନ୍ତୁ ପ୍ରାୟତଃ ସମସ୍ତ ଅପେକ୍ଷାକୃତ ଢିପ ଜମିଗୁଡ଼ିକ ବର୍ତ୍ତମାନ ପାଣି ଅଭାବରୁ ଜମି ଫାଟି ଆଁ ହେଲାଣି। ବେଗୁନିଆର କଣ୍ଟାବାଡ଼, ବଡ଼ବେରଣା, ସିମୋର ଆଦି ପଞ୍ଚାୟତର ଚାଷୀ କହିଛନ୍ତି ଯେ ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଦୁଇଦିନ ବର୍ଷା ହୋଇଥିଲା। ଏହାକୁ ଦେଖି ତଳି ରୁଆ ହୋଇଥିଲା।

କିନ୍ତୁ ବର୍ତ୍ତମାନ ୪ ଦିନ ଆଉ ବର୍ଷା ନାହିଁ। ବର୍ଷା ନହେବାରୁ ଶେଷରେ ପମ୍ପସେଟ୍ ନେଇ ଜମିକୁ ପାଣି ମଡ଼ାଉଛନ୍ତି। କେବଳ କଣ୍ଟାବାଡ଼ ପଞ୍ଚାୟତର ପାହାଡ଼ ପାଶ୍ୱର୍ସ୍ଥ ୧୧୪ ହେକ୍ଟର ଚାଷ ଜମିରେ ପାଣି ଅଭାବରୁ ଜମି ଫାଟିଯାଇଛି। ଏନେଇ ବେଗୁନିଆ ବ୍ଲକ ଦାୟିତ୍ୱରେ ଥିବା ସହକାରୀ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ବର୍ଷା ସ୍ୱାଭାବିକ ଠାରୁ କମ୍ ହୋଇଛି ସତ କିନ୍ତୁ ତଳି ପୋଡ଼ିବା ଭଳି ପରିସ୍ଥିତି ଆସିନାହିଁ। ତେବେ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଏଭଳି ଜମି ଶୁଖି ଫାଟିବା ସମ୍ପର୍କରେ ସୂଚନା ଦେବା ପରେ ସେ କହିଥିଲେ ଏନେଇ ଗ୍ରାମସେବକ ତାଙ୍କୁ କୌଣସି ସୂଚନା ଦେଇନାହିଁ।

ତେବେ ଏହା ଜାଣିବା ପରେ ଘଟଣାର ଅନୁସନ୍ଧାନ କରିବାକୁ ଗ୍ରାମସେବକଙ୍କୁ ନିର୍ଦେଶ ଦେବେ। କୃଷି ବିଭାଗ ଡେପ୍ୟୁଟି ଡାଇରେକ୍ଟର ଗଣେଶ୍ୱର ଦାସଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଜୁଲାଇ ମାସରେ ଚିଲିକା ବ୍ଲକରେ ବର୍ଷା ଅଭାବ ଥିଲା। କିନ୍ତୁ ବର୍ତ୍ତମାନ ସେଠାରେ ବର୍ଷା ହୋଇଛି। ସେ ନିଜେ ବିଭିନ୍ନ ବ୍ଲକ ଗସ୍ତ କରିଛନ୍ତି, ସବୁଠାରେ ବର୍ଷା ଯଦିଓ ସ୍ୱାାଭାବିକ ଠାରୁ କମ୍ ରହିଛି, କିନ୍ତୁ ବର୍ଷା ହୋଇଛି। ତେବେ ଅନିୟମିତ ବର୍ଷା କଥାକୁ ଏଡ଼ାଇ ଦିଆଯାଇନପାରେ, ଏନେଇ ସେ ନିଜେ ଅନୁସନ୍ଧାନ କରିବେ।

The post ଧାରା ଶ୍ରାବଣରେ ଚାଷ ଜମି ଫାଟି ଆଁ first appeared on Sambad.

from ଜିଲ୍ଲା | Sambad https://ift.tt/3jB2ZO4